ଅଧରାତିରେ ତାଣ୍ଡବ ରଚିଲା ‘ଦାନା’

ପ୍ରବଳ ବର୍ଷା ସହ ପବନ ମାଡ

ଭଦ୍ରକ, ୨୫/୧୦: ଅଧରାତିରେ ତାଣ୍ଡବ ରଚିଲା ବାତ୍ୟା ‘ଦାନା’। ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ବେଳେ ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଅନେକ ଗଛ ଉପୁଡ଼ିବା ସହ କଚା ଘର ମଧ୍ୟ ଭାଙ୍ଗି ପଡ଼ିଛି। ସମୁଦ୍ରରେ ଜୁଆର ଆସିବାରୁ ସାତଭାୟା ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଏହା ସହ ଭିତରକନିକା ଅଭୟାରଣ୍ୟରେ ମଧ୍ୟ ବହୁ କ୍ଷୟକ୍ଷତି ଘଟିଛି। ଲ୍ୟାଣ୍ଡଫଲ ବେଳେ ଭିତରକନିକାରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଉଠିଥିବା ସୂଚନା ମିଳିଛି। ବାତ୍ୟା ପ୍ରକୋପରେ ପବନ ହୋଇ କେତେକ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ରହିଥିବା ବେଳେ ବାତ୍ୟାର ପ୍ରକୋପ ଥମିବା ପରେ ଯୁଦ୍ଧ କାଳୀନ ଭିତ୍ତିରେ ଗଛ କଟା ଚାଲିଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଲ୍ୟାଣ୍ଡଫଲ ସମୟରେ ରାଜ୍ୟରେ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିଛି। ଆଜି ପୂର୍ବାହ୍ନ ବେଳକୁ ଏହା ଉତ୍ତର ଓଡ଼ିଶାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଧୀରେ ଧୀରେ ଦୁର୍ବଳ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବାର ସମ୍ଭାବନା ରହିଛି। ଉତ୍ତର ଓଡିଶାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ୯ ଜିଲ୍ଲାକୁ ରେଡ ଓ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଉଲ୍ଲେଖଯୋଗ୍ୟ, ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ରାଜ୍ୟରେ ୫୨୦୯ଟି ବାତ୍ୟା ଆଶ୍ରୟସ୍ଥଳୀ ସ୍ଥାପନ କରାଯାଇ ୩,୬୨,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏମାନଙ୍କ ମଧ୍ୟରେ ୩୬୫୪ ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।