ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ପରବର୍ତ୍ତୀ ସମୀକ୍ଷା

ଏସ୍ଆରସି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବାତ୍ୟା ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ

ଭୁବନେଶ୍ବର, ୨୫/୧୦: ଗୁରୁବାର ମଧ୍ୟରାତ୍ରିରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ସମୟରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୧୦ କିଲୋମିଟର ବେଗରେ ପବନ ବହିଥିଲା। ଏବେ ମଧ୍ୟ କେତେକ ଜିଲ୍ଲାରେ ବର୍ଷା ଲାଗି ରହିଛି। ତେବେ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଓ ରିଲିଫ୍ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସମୀକ୍ଷା ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ୱାଇବି ଖୁରାନିଆ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ କୁମାର ସିଂହ ଉପସ୍ଥିତ ଥିଲେ।

ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ସରକାରଙ୍କ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ ହୋଇଛି। ଗତକାଲି ମଧ୍ୟରାତ୍ରରୁ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ସନ୍ଧ୍ୟା ସୁଦ୍ଧା ଆମେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାରେ ସକ୍ଷମ ହେବୁ।

ବାତ୍ୟା ପରେ ପବନ ଯୋଗୁଁ ଉପୁଡ଼ି ପଡ଼ିଥିବା ଗଛ କାଟି ରାସ୍ତାରେ ସ୍ୱଭାବିକ ପରିସ୍ଥିତିକୁ ଫେରାଇ ଆଣିବା ପାଇଁ ଉଦ୍ଧାରକାର୍ଯ୍ୟରେ ଲାଗି ପଡିଛନ୍ତି ଏନଡିଆରଏଫ ଓ ଓଡ୍ରାଫ ଟିମ୍। ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଦିନ ୧ଟା ସୁଦ୍ଧା ଗଛ କଟାଯାଇ ରାସ୍ତା ସଫା ହେବା ସହିତ ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତ୍ ଲାଇନ୍ ପୁନରୁଦ୍ଧାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୁକ୍ରବାର ସକାଳ ୮ଟାରୁ ବିମାନ ଚଳାଚଳ ଆରମ୍ଭ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ବାତ୍ୟାକୁ ଦୃଷ୍ଟିରେ ରଖି ସୁରକ୍ଷିତ ଭାବରେ ୬୦୦୦ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬୦୦ ଗର୍ଭବତୀ ମହିଳା ସୁରକ୍ଷିତ ଭାବେ ନବଜାତ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ବାତ୍ୟା ସମୟରେ ପ୍ରଶାସନିକ ଅଧିକାରୀ, ଡାକ୍ତର, ଅଗ୍ନିଶମ ବାହିନୀ, ଉଦ୍ଧାରକାରୀ ଟିମର ଶତଚେଷ୍ଟା ପାଇଁ ଜିରୋ କାଜୁଆଲିଟି ଲକ୍ଷ୍ୟ ପୂରଣ ହୋଇ ପାରିଛି ଏବଂ ଆଗୁଆ ପଦକ୍ଷେପ ଯୋଗୁଁ କୌଣସି ଜୀବନହାନି ହୋଇନି ବୋଲି ମୁଖ୍ୟମନ୍ତ୍ରୀ ବହୁ ପ୍ରଶଂସା କରିଥିଲେ। ସଠିକ୍ ସମୟରେ ସଠିକ୍ ଖବର ପରିବେଷଣ କରିଥିବାରୁ ଏବଂ ଲୋକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ମଧ୍ୟ ପ୍ରଶଂସା କରିଥିଲେ।