ଭାରତୀୟ ବାୟୁସେନାକୁ ମିଳିବ ସ୍ୱଦେଶୀ ବଳ

ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି ସି-୨୯୫ ସାମରିକ ବିମାନ।

ଏୟାରକ୍ରାଫ୍ଟ ନିର୍ମାଣ କ୍ଷେତ୍ରରେ ଆଗକୁ ବଢିଲା ଆତ୍ମନିର୍ଭରଶୀଳ ଭାରତ

ନୂଆଦିଲ୍ଲୀ, ୨୮/୧୦: ଭାରତର ବାୟୁସେନା ହେବ ଆହୁରି ଶକ୍ତିଶାଳୀ। ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି ସି-୨୯୫ ସାମରିକ ବିମାନ। ଏହି ବିମାନକୁ ନିର୍ମାଣ କରିବ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ ଲିମିଟେଡ୍-ଏୟାରବସ୍ କାରଖାନା। ଯାହାର ଆଜି ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍।

ଗୁଜରାଟର ଭଦୋଦରା ସହରରେ ଥିବା ଏହି କାରଖାନା ହେବାକୁ ଯାଉଛି। ଏହାକୁ ମେକ୍ ଇନ ଇଣ୍ଡିଆ ଇନିସିଏଟିଭରେ ନିର୍ମାଣ କରାଯିବ, ଯାହାକି ପ୍ରଥମ ଥର ପାଇଁ ଭାରତ ଆତ୍ମନିର୍ଭରଶୀଳ ଅଭିଯାନରେ ସି-୨୯୫ ଏୟାରକ୍ରାଫ୍ଟ ନିର୍ମାଣ କରି ଆଉ ପାଦେ ଆଗକୁ ବଢିଛି।

ସି-୨୯୫ ସାମରିକ ବିମାନ ଉତ୍ପାଦନ କାରଖାନା ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା କେବଳ ଭାରତ-ସ୍ପେନ୍ ସମ୍ପର୍କକୁ ସୁଦୃଢ଼ କରିବ ନାହିଁ, ବରଂ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ’ ଅଭିଯାନକୁ ମଧ୍ୟ ପ୍ରୋତ୍ସାହିତ କରିବ। ଏହି କାରଖାନାରେ ନିର୍ମିତ ବିମାନ ଭବିଷ୍ୟତରେ ରପ୍ତାନି କରାଯିବ।

ଆଜି ଆମେ କେବଳ ଅତ୍ୟାଧୁନିକ ଶିଳ୍ପ ପ୍ରତିଷ୍ଠାନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରୁନାହୁଁ। ଏୟାରବସ୍ ଏବଂ ଟାଟା ମଧ୍ୟରେ ଏହି ଭାଗିଦାରୀ ଭାରତୀୟ ଏରୋସ୍ପେସ୍ ଶିଳ୍ପର ପ୍ରଗତିରେ ସହାୟକ ହେବ ଏବଂ ଅନ୍ୟ ୟୁରୋପୀୟ କଂପାନିଗୁଡ଼ିକର ଆଗମନ ପାଇଁ ନୂତନ ଦ୍ୱାର ଖୋଲିବ ବୋଲି ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ କହିଛନ୍ତି।

୨୦୨୬ରେ ପ୍ରଥମ ବିମାନ ଉତ୍ପାଦନ ହେବ। ମୋଟ ୫୬ଟି ଏୟାରକ୍ରାଫ୍ଟ ନିର୍ମାଣ ହେବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ୟୁରୋପର ଏୟାରବେସ ସହ ଚୁକ୍ତି ସ୍ୱାକ୍ଷର କରିଛି ଭାରତ। ୪୦ଟି ଏୟାରକ୍ରାଫ୍ଟ ଭାରତରେ ନିର୍ମାଣ ହେବାକୁ ଥିବା ବେଳେ ବାକି ୧୬ଟି ସ୍ପେନରୁ ନିର୍ମାଣ ହୋଇ ଭାରତକୁ ଆସିବ।

ସି-୨୯୫ ଏୟାରକ୍ରାଫ୍ଟ ଯେକୌଣସି ପାଣିପାଗ ସମୟରେ ବହୁମୁଖୀ କାର୍ଯ୍ୟରେ ବିନିଯୋଗ ହୋଇ ପାରିବ। ଏମର୍ଜେନ୍ସି ସମୟରେ ଲୋକଙ୍କୁ ଉଦ୍ଧାର ସହ ବିପର୍ଯ୍ୟୟ ସମୟରେ ସେବାରେ ଲାଗିବ। ସେହିପରି ରିଲିଫ ବଣ୍ଟନ ଭଳି କାର୍ଯ୍ୟରେ ମଧ୍ୟ ଲାଗିବ। ଏହା ବ୍ୟତୀତ ଏୟାର କାର୍ଗୋକୁ ନେବା ଆଣିବା କରି ପାରିବା ସହ ସ୍ଥଳସେନା, ନୌସେନା ଓ ବାୟୁସେନା ଉପରେ ନଜର ରଖି ପାରିବ। ଏୟାର କାର୍ଗୋ ପରିବହନ ଦ୍ୱାରା ବିଶ୍ୱ ଯୋଗାଣ ଶୃଙ୍ଖଳାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇପାରିବ।