ଆମ୍ବ ଟାକୁଆ ଖାଇ ୨ ମୃତ୍ୟୁ, ୬ ଗୁରୁତର ଘଟଣା: ରାସନ ଚାଉଳ ନମିଳିବାରୁ ଆମ୍ୱ ଟାକୁଆ ଜାଉ ଖାଇବାକୁ ବାଧ୍ଯ ହୋଇଥିଲେ: ବିଜେଡି

ରାଜ୍ୟରେ ପିଡ଼ିଏସ ବଣ୍ଟନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି।

ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଛି

ଭୁବନେଶ୍ବର, ୦୧/୧୧: ରାଜ୍ୟରେ ଆମ୍ବ ଟାକୁଆ ଜାଉ ଖାଇ ୨ ମୃତ ଓ ୬ ଗୁରୁତର ହୋଇଥିବା ଘଟଣା ଲୋକଲୋଚନକୁ ଆସିଥିବା ବିଜୁ ଜନତା ଦଳ ତରଫରୁ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ମୁଖପାତ୍ର ଶ୍ରୀ ସଞ୍ଜୟ ଦାସବର୍ମା ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ରାଜ୍ୟର ପିଡ଼ିଏସ ବଣ୍ଟନ ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି କହିଛନ୍ତି I

କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆରେ ପ୍ରସ୍ତୁତ ଜାଉ ଖାଇ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ମହିଳା ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି I ଜଣେ ମହିଳାଙ୍କର ନିକଟସ୍ଥ ବ୍ରାହ୍ମଣୀ ଗାଁ ମେଡିକାଲରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ମହିଳାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ବେଳେ ରାସ୍ତାରେ ମୃତ୍ୟୁ ହୋଇଥିବା ଜଣାପଡିଛି I ୬ ଜଣ ଗୁରୁତର ହୋଇଥିବା ମହିଳାଙ୍କୁ ବ୍ରାହ୍ମଣୀଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି I ମୃତକ ଓ ଗୁରୁତର ହୋଇ ପଡ଼ିଥିବା ସମସ୍ତେ ମହିଳା I ଆମ୍ବ ଟାକୁଆରୁ ବାହାରୁଥିବା କୋଇଲିରୁ ପ୍ରସ୍ତୁତ ଜାଉ ଖାଇଥିବା ଏହି ମହିଳାମାନେ ପରେ ଅସୁସ୍ଥ ହୋଇ ପଡ଼ିଥିଲେ I

ସଞ୍ଜୟ ଦାସବର୍ମା କହି କହିଥିଲେ, ଏହି ଘଟଣା ସମଗ୍ର ରାଜ୍ୟ ପାଇଁ ଲଜ୍ଜାର ବିଷୟ ହେବା ସହିତ ରାଜ୍ୟ ବିଜେପି ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି। ମୃତକ ଓ ଗୁରୁତର ହୋଇଥିବା ସମସ୍ତ ମହିଳାମାନଙ୍କ ପରିବାର ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ଯମରେ ମିଳୁଥୁବା ଚାଉଳ, ଗତ ଚାରି ମାସ ହେଲା ସେମାନେ ପାଇନାହାନ୍ତି ବୋଲି, ଆମେ ସ୍ଥାନୀୟ ଅଞ୍ଚଳରୁ ଜାଣିବାକୁ ପାଇଲୁ I ପରିବାରର ରର ପ୍ରତି ମୁଣ୍ଡ ପିଛା ପାଞ୍ଚ କେଜି ଚାଉଳ ମିଳିଥାଏ I ଏହି ଚାଉଳ ଗତ ଚାରି ମାସ ଧରି ମିଳି ନଥିବାରୁ, ସେମାନେ ଆମ୍ବ ଟାକୁଆ ଜାଉ ଖାଇବାକୁ ବାଧ୍ୟ ହୋଇଛନ୍ତି ବୋଲି ଶ୍ରୀ ଦାସବର୍ମା କହିଥିଲେ। ଦେଶରେ ଯେପରି କେହି କ୍ଷୁଧାରେ ରହିବେ ନାହିଁ ଲକ୍ଷ୍ୟ ନେଇ ଜାତୀୟ ଖାଦ୍ୟ ସୁରକ୍ଷା ସୁରକ୍ଷା ଆଇନର ପ୍ରଣୟନ କରାଯାଇଥିଲା । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ରାଜ୍ୟର ବହୁତ ଲୋକ ବଞ୍ଚିତ ହେଉଥିଲେ ବୋଲି ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରାଯାଇଥିଲା, ଯାହା ମାଧ୍ଯମରେ ଅଧିକା ପଚିଶ ଲକ୍ଷ ଲୋକଙ୍କୁ ସାମିଲ କରାଯାଇଥିଲା I ଲଗାତର ଭାବେ ଚାରିମାସ ଧରି ଚାଉଳ ନମିଳିବା ଖାଦ୍ୟ ସୁରକ୍ଷା ଯୋଜନାର ଲକ୍ଷ୍ୟ ହାସଲରୁ ବିଚ୍ୟୁତ ହୋଇଛି ।

ଶ୍ରୀ ଦାସବର୍ମା ଆହୁରି କହିଥିଲେ, ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବା ବେଳେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଘଟଣାକୁ ହାଲୁକା ଭାବେ ନେଇ ଆମ୍ବ ଟାକୁଆ ସେହି ଅଞ୍ଚଳର ବାସିନ୍ଦାମାନଙ୍କର ନିୟମିତ ଖାଦ୍ୟ ବୋଲି ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ପରିପ୍ରେକ୍ଷୀରେ, ରାଜ୍ୟ ସରକାରଙ୍କ ତରଫରୁ ଏହି ଘଟଣାର ବିଭାଗୀୟ ତଦନ୍ତର ନିର୍ଦେଶ ଦିଆଯାଇଛି ବୋଲି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମରେ ମନ୍ତବ୍ୟ ଦେଇଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇନଥିବା ବେଳେ, ଆମ୍ବ ଟାକୁଆ ଜାଉ ସେ ଅଞ୍ଚଳର ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିବା, କେବଳ ଘଟଣାକୁ ଚପାଇ ଦେବା ପାଇଁ ଉଦିଷ୍ଟ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ବିଜେଡି ତରଫରୁ ଆମେ ଦାବି କରୁଛୁ, ରାଜ୍ୟ ସରକାର ଘଟଣାକୁ ଗୁରୁତର ସହିତ ନେଇ ରାଜ୍ୟର ପିଡ଼ିଏସ ବଣ୍ଟନ ବ୍ୟବସ୍ଥାକୁ ସକ୍ରିୟ କରନ୍ତୁ ଓ ଏପରି ଘଟଣାର କିପରି ପୁନରାବୃତ୍ତି ନହେବ, ସେଥିପ୍ରତି ସଚେତନ ରୁହନ୍ତୁ ବୋଲି ଶ୍ରୀ ଦାସବର୍ମା କହିଥିଲେ I