୩୦୦ ବର୍ଷର ଭିନ୍ନ ପରମ୍ପରା
ତାମିଲନାଡୁ ଓ କର୍ଣ୍ଣାଟକରେ ପାଳନ ହୁଏ ଏକ ଭିନ୍ନ ପର୍ବ 'ଗୋବର ଖେଳ'।
‘ଗୋବର ଖେଳ’ରେ ଦିଆଯାଏ ଦୀପାବଳିକୁ ବିଦାୟ
ନୂଆଦିଲ୍ଲୀ, ୦୪/୧୧: ଭାରତୀୟ ସଂସ୍କୃତିରେ ମଧ୍ୟରେ ଏକତା ପରିଲକ୍ଷିତ ହୁଏ। ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସଂସ୍କୃତି ଓ ପରମ୍ପରା ଦେଖା ଯାଇଥାଏ। ଆଚାର ବ୍ୟବହାର, ଖାଦ୍ୟ ପୋଷାକ, ଭାଷା ସାହିତ୍ୟ, ଧର୍ମ ବିଶ୍ୱାସ, ପ୍ରଥା ପରମ୍ପରା ଓ ପର୍ବପର୍ବାଣି ରୀତିନୀତିକୁ ସବୁ କିଛି ଭିନ୍ନ ଓ ଉଚ୍ଚକୋଟୀର। ଭାରତର ବିଭିନ୍ନ ପ୍ରାନ୍ତରେ ପାଳନ ହୁଏ ଭିନ୍ନ ଭିନ୍ନ ପର୍ବପର୍ବାଣୀ। ଠିକ୍ ସେହିପରି ଆଲୋକର ପର୍ବ ଦୀପାବଳି। ଦୀପାବଳି ସାରା ଭାରତ ବର୍ଷରେ ଅତି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। କିନ୍ତୁ ଦୀପାବଳିକୁ ବିଦାୟ ଦେବା ପାଇଁ ଦକ୍ଷିଣ ଭାରତର ତାମିଲନାଡୁ ଓ କର୍ଣ୍ଣାଟକ ରାଜ୍ୟରେ ପାଳନ ହୁଏ ଏକ ଭିନ୍ନ ପର୍ବ ‘ଗୋବର ଖେଳ’। ଯାହାକି ୩୦୦ ବର୍ଷ ପୁରୁଣା ଏକ ନିଆରା ପରମ୍ପରା।
ତାମିଲନାଡୁର ଇରୋଡ ଜିଲ୍ଲାର ଥାଲାୱାଡିର ଏକ ଦୁର୍ଗମ ଗାଁରେ ଦୀପାବଳିକୁ ବିଦାୟ ଦେବା ପାଇଁ ଏକ ଅଜବ ଢଙ୍ଗରେ ପାଳନ କରାଯାଏ। କର୍ଣ୍ଣାଟକ ଏବଂ ତାମିଲନାଡୁ ସୀମାରେ ଅବସ୍ଥିତ ଗୁମତାପୁର ଗାଁର ସ୍ଥାନୀୟ ଲୋକେ ପ୍ରତିବର୍ଷ ସମାନ ଗୋବର ଖେଳ ସହ ଦୀପାବଳି ପାଳନ କରିଥାନ୍ତି। ଏହାକୁ ଗୋରେହବା ଫେଷ୍ଟିଭାଲ ବୋଲି କୁହନ୍ତି।
ଯେଉଁ ସପ୍ତାହରେ ଦୀପାବଳି ପଡେ, ସେହି ସପ୍ତାହର ଶେଷ ଦିନରେ ଗ୍ରାମବାସୀମାନେ ଗାଈ ଓ ମଇଁଷିର ଗୋବରକୁ ଏକତ୍ରିତ କରି ଏକ ମନ୍ଦିରକୁ ନିଅନ୍ତି। ସେଠାରେ ସବୁ ଗୋବରକୁ ରଖି ପୂଜାପାଠ କରିବା ପରେ ସବୁ ଗ୍ରାମବାସୀ ଏକାଠି ହୋଇ ପରସ୍ପର ଉପରକୁ ଗୋବର ଫିଙ୍ଗି ଖେଳନ୍ତି। ଗୋବର ଉତ୍ସବ ପାଇଁ ଗ୍ରାମର ସବୁ ବର୍ଗର ପିଢ଼ି ଏକାଠି ହୁଅନ୍ତି। ଚଳିତ ବର୍ଷ ଏହି ଗୋବର ଖେଳ ରବିବାର ପାଳନ କରାଯାଇଥିଲା। ଏହି ପର୍ବକୁ ନେଇ ଏକ ବିଶ୍ୱାସ ହେଉଛି ଯେ ଯଦି କୌଣସି ରୋଗ ଥାଏ ତାହାଲେ ଜଣେ ଆରୋଗ୍ୟ ଲାଭ କରିଥାଏ। ଗୋବର ଖେଳ ସରିବା ପରେ ଗୋବରକୁ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଏ ଯେଉଁମାନେ ଏହାକୁ ସେମାନଙ୍କ ଚାଷରେ ଖତ ଭାବରେ ବ୍ୟବହାର କରନ୍ତି ବର୍ଷ ସାରା ଅମଳ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି।