୨୦୦ ଫୁଟ୍ ତଳକୁ ଖସିଲା ବସ୍
ଉତ୍ତରାଖଣ୍ଡରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି।
୨୮ ଯାତ୍ରୀ ମୃତ, ଫସି ରହିଛନ୍ତି ଅନେକ
ନୂଆଦିଲ୍ଲୀ, ୦୪/୧୧: ଉତ୍ତରାଖଣ୍ଡର ଆଲମୋଡ଼ାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସୋମବାର ଏକ ଯାତ୍ରୀବାହୀ ବସ୍ ୨୦୦ ଫୁଟ୍ ତଳକୁ ଖସି ପଡ଼ିବାରୁ ୨୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ଅନେକ ଫସି ରହିଥିବା ଆଶଙ୍କା କରାଯାଉଛି। ଏନଡିଆରଏଫ ଏବଂ ଏସଡିଆରଏଫର ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ସୂଚନାନୁଯାୟୀ, ଗରୱାଲରୁ ଅଲମୋରା ଅଭିମୁଖେ ୩୫ରୁ ୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସଟି ସକାଳ ପ୍ରାୟ ୯ଟା ସମୟରେ ପୌରୀ-ଆଲମୋଡା ସୀମାରେ ଦୁର୍ଘଟଣା ଘଟିଥିଲା। ସଙ୍ଗେ ସଙ୍ଗେ ଖବର ପାଇ ଏସଡିଆରଏଫ୍ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। କିଛି ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଓ ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହି ଘଟଣାର ମାଜିଷ୍ଟ୍ରେଟ୍ ତଦନ୍ତ କରିବାକୁ ସେ କୁମାଉଁ ଡିଭିଜନ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆଲମୋଡ଼ା ଜିଲ୍ଲାର ମାର୍ଚୁଲାରେ ଘଟିଥିବା ଦୁର୍ଭାଗ୍ୟଜନକ ବସ ଦୁର୍ଘଟଣାରେ ଯାତ୍ରୀଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଖବର। ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆବଶ୍ୟକ ସ୍ଥଳେ ଗୁରୁତର ଆହତ ଯାତ୍ରୀଙ୍କୁ ଏୟାରଲିଫ୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।