ସବୁ ଘରୋଇ ସମ୍ପତ୍ତିକୁ ନିଜ ମାଲିକାନାକୁ ନେଇ ପାରିବେନି ସରକାର

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ, ୦୫/୧୧: ଘରୋଇ ସମ୍ପତ୍ତି ଉପରେ ଐତିହାସିକ ରାୟ ଶୁଣାଇଛନ୍ତି ମାନ୍ଯବର ସୁପ୍ରିମକୋର୍ଟ। ସବୁ ଘରୋଇ ସମ୍ପତ୍ତି ଉପରେ ନାହିଁ ସରକାରଙ୍କ ଅଧିକାର। ସବୁ ଘରୋଇ ସମ୍ପତ୍ତିକୁ ସରକାର ନିଜ ମାଲିକାନାକୁ ନେଇ ପାରିବେ ନାହିଁ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୯ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ୧୯୭୮ ମସିହାର ରାୟକୁ ବଦଳାଇ ଏହି ନୂତନ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ମେ ମାସରେ ଏହି ମାମଲାର ଶୁଣାଣି କରି ସଂରକ୍ଷିତ ରଖାଯାଇଥିଲା। ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ବ୍ୟକ୍ତିଗତ ସମ୍ପତ୍ତିର ସମୀକ୍ଷା କରାଯିବା ଉଚିତ୍। କେତେକ ବ୍ୟକ୍ତିଗତ ସମ୍ପତ୍ତି ଧାରା ୩୯(ବି) ଅଧୀନରେ ଆସିପାରେ ଯଦି ସେହି ସମ୍ପତ୍ତି କୌଣସି ସମ୍ପ୍ରଦାୟର ଅଟେ ବୋଲି ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି।

୯ ଜଣିଆ ଖଣ୍ଡପୀଠରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ହୃଷିକେଶ ରାୟ, ଜଷ୍ଟିସ ବିଭି ନାଗରତ୍ନା, ସୁଧାଂଶୁ ଧୁଲିଆ, ଜଷ୍ଟିସ ଜେବି ପାର୍ଦିୱାଲା, ମନୋଜ ମିଶ୍ର, ରାଜେଶ ବିନ୍ଦଲ, ସତୀଶ ଚନ୍ଦ୍ର ଶର୍ମା ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହ ରହିଛନ୍ତି। ପ୍ରଧାନ ବିଚାରପତିଙ୍କ ରାୟରେ ସଂଖ୍ୟାଗରିଷ୍ଠ ମତାମତ ଆସିଥିବା ବେଳେ ଜଷ୍ଟିସ ବିଭି ନାଗରତ୍ନା ଆଂଶିକ ସହମତ ହୋଇଥିଲେ ଏବଂ ଜଷ୍ଟିସ ଧୁଲିଆ ଏହି ରାୟକୁ ନେଇ ଅସହମତି ପ୍ରକାଶ କରିଥିଲେ।

୧୯୯୨ମସିହାରେ ମୁମ୍ବାଇସ୍ଥିତ ପ୍ରପର୍ଟି ମାଲିକ ସଂଘ (ପିଓଏ) ପକ୍ଷରୁ ଦାୟର ହୋଇଥିବା ଏକ ମାମଲାରୁଡ ସୁପ୍ରିମ୍ କୋର୍ଟ ଏହି ରାୟ ଦେଇଛନ୍ତି। ମହାରାଷ୍ଟ୍ର ଗୃହ ନିର୍ମାଣ ଓ ଅଞ୍ଚଳ ବିକାଶ ଆଇନ ୧୯୭୬ର ସପ୍ତମ ଅଧ୍ୟାୟର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରି ମୁମ୍ବାଇସ୍ଥିତ ସମ୍ପତ୍ତି ମାଲିକ ସଂଘ ଏହି ମାମଲା ଆଣିଥିଲା। ପ୍ରଥମେ ୧୯୯୨ମସିହାରେ ଏହି ପିଟିସନ ଦାଖଲ କରାଯାଇଥିଲା ଏବଂ ୨୦୦୨ରେ ୯ ଜଣିଆ ଖଣ୍ଡପୀଠକୁ ପଠାଯାଇଥିଲା ଏବଂ ଶେଷରେ ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ୨୦୨୪ରେ ଏହାର ଶୁଣାଣି ହୋଇଥିଲା।