ନୂଆଦିଲ୍ଲୀ, ୦୭/୧୧: ଦେଶର ପରିବହନ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି ଭାରତୀୟ ରେଳବାଇ। ଗତ ନଭେମ୍ବର ୪ ତାରିଖରେ ଗୋଟିଏ ଦିନରେ ୩ କୋଟିରୁ ଅଧିକ ଯାତ୍ରୀ ପରିବହନ କରି ଇତିହାସ ସୃଷ୍ଟି କରିଛି ବୋଲି ଯାହା ଦେଶର ପରିବହନ ଇତିହାସରେ ଏକ ଉଲ୍ଲେଖନୀୟ ସଫଳତା ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।
ନଭେମ୍ବର ୪ ରେ ଭାରତୀୟ ରେଳବାଇ ୧୯ ଲକ୍ଷ ୪୩ ହଜାର ସଂରକ୍ଷିତ ଯାତ୍ରୀ ଏବଂ ୧୦୧ ଲକ୍ଷ ୨୯ ହଜାର ଅଣସଂରକ୍ଷିତ ଯାତ୍ରୀଙ୍କ ସମେତ ରେକର୍ଡ ସଂଖ୍ୟକ ୧୮୦ ଲକ୍ଷ ଉପାନ୍ତ ଅଞ୍ଚଳର ଯାତ୍ରୀ ଥିଲେ, ଯାହା କି ୨୦୨୪ରେ ଗୋଟିଏ ଦିନରେ ସର୍ବାଧିକ ଯାତ୍ରୀ ଯାତ୍ରା କରିଥିଲେ। ଏହି ଦିନ ମୋଟ ୩ କୋଟିରୁ ଉର୍ଦ୍ଧ୍ଵ ଯାତ୍ରୀ ଯାତ୍ରା କରିଥିଲେ।
ମନ୍ତ୍ରଣାଳୟ ଅନୁଯାୟୀ, ଅକ୍ଟୋବର ପହିଲାରୁ ନଭେମ୍ବର ୫ ମଧ୍ୟରେ ପ୍ରାୟ ୬ କୋଟି ୮୫ ଲକ୍ଷ ଯାତ୍ରୀ ନିର୍ଦ୍ଧାରିତ ଟ୍ରେନ୍ ମାଧ୍ୟମରେ ବିହାର, ପୂର୍ବ ଉତ୍ତରପ୍ରଦେଶ ଏବଂ ଝାଡ଼ଖଣ୍ଡକୁ ଯାତ୍ରା କରିଛନ୍ତି। ପାର୍ବଣ ଋତୁରେ ଯାତ୍ରୀ ପରିବହନରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଅକ୍ଟୋବର ୧ରୁ ନଭେମ୍ବର ୫, ପର୍ଯ୍ୟନ୍ତ ୩୬ ଦିନ ମଧ୍ୟରେ ଅତିରିକ୍ତ ୪,୫୨୧ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଛି, ଯେଉଁଥିରେ ୬୫ ଲକ୍ଷ ଯାତ୍ରୀ ଯାତ୍ରା କରିଛନ୍ତି। ଚଳିତ ଦୁର୍ଗାପୂଜା, ଦୀପାବଳି ଓ ଛଟ୍ ପୂଜା ସମୟରେ ସୁରୁଖୁରୁରେ ଯାତ୍ରା କରିବା ପାଇଁ ଏହି ଅତିରିକ୍ତ ସେବା ଯୋଗାଇ ଦିଆଯାଇଥିଲା।
ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଅକ୍ଟୋବର ପହିଲାରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ମୋଟ ୭,୭୨୪ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଘୋଷଣା କରିଛି ରେଳବାଇ। ଯାହା କି ଗତବର୍ଷଠାରୁ ୭୩ ପ୍ରତିଶତ ଅଧିକ। ସେହିପରି ଯାତ୍ରା ସାରି ପ୍ରତ୍ୟାବର୍ତ୍ତନ କରିବାକୁ ଥିବା ଯାତ୍ରୀଙ୍କୁ ସୁବିଧାରେ ପରିବହନ ସେବା ଯୋଗାଇ ଦେବା ପାଇଁ ରେଳବାଇ ପକ୍ଷରୁ ନଭେମ୍ବର ୮ରେ ୧୬୪ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଭିଡ଼ କମାଇବା ପାଇଁ ଏବଂ ସୁରୁଖୁରୁରେ ଯାତ୍ରା ସମ୍ପନ୍ନ ପାଇଁ ନଭେମ୍ବର ୯, ୧୦ ଓ ୧୧ରେ ଅତିରିକ୍ତ ଟ୍ରେନ୍ ଚଳାଚଳ କରିବ। ନଭେମ୍ବର ୯ରେ ୧୬୦ଟି, ନଭେମ୍ବର ୧୦ରେ ୧୬୧ଟି ଓ ନଭେମ୍ବର ୧୧ରେ ୧୫୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।