ପାକିସ୍ତାନରେ ବଡ଼ ଧରଣର‌ ବିସ୍ଫୋରଣ

ପାକିସ୍ତାନର ବାଲୋଚିସ୍ତାନର କ୍ୱେଟା ରେଳ ଷ୍ଟେସନରେ ଶନିବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି।

୨୦ ମୃତ, ୩୦ ଆହତ

ନୂଆଦିଲ୍ଲୀ, ୦୯/୧୧: ପାକିସ୍ତାନର ବାଲୋଚିସ୍ତାନର କ୍ୱେଟା ରେଳ ଷ୍ଟେସନରେ ଶନିବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ଏତେ ବଡ ଯେ, ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି।

ପାକିସ୍ତାନର ଡନ୍ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ବାଲୋଚିସ୍ତାନ ରାଜ୍ୟର ରାଜଧାନୀ କ୍ୱେଟାରୁ ରାଓ୍ଵଲପିଣ୍ଡି ସହରକୁ ଯିବା ପାଇଁ ଯାତ୍ରୀମାନେ ଟ୍ରେନକୁ ଅପେକ୍ଷା କରୁଥିବା ବେଳେ ବୋମା ବିସ୍ଫୋରଣ ହୋଇଥିଲା। ପେଶାୱାର ଅଭିମୁଖେ ଏହି ଟ୍ରେନ୍ ବାହାରିବା ପାଇଁ ପ୍ରସ୍ତୁତ ଥିଲା। ତେବେ ପ୍ଲାଟଫର୍ମ ଛାଡ଼ିବା ପୂର୍ବରୁ ହିଁ ଏହି ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ପ୍ରାୟ ୧୦୦ ଲୋକ ଉପସ୍ଥିତ ଥିଲେ।

ବାଲୋଚିସ୍ତାନ ସରକାରଙ୍କ ମୁଖପାତ୍ର ସାହିଦ ରିନ୍ଦ ଏକ ବିବୃତ୍ତିରେ କହିଛନ୍ତି ଯେ ପୋଲିସ ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ସହ ବିସ୍ଫୋରଣର କାରଣ ଯାଞ୍ଚ କରାଯାଉଛି। ଆହତ ଯାତ୍ରୀମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏହି ଆକ୍ରମଣରେ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ବୋଲି ସାହିଦ୍ ରିଣ୍ଡ କହିଛନ୍ତି।

ତେବେ ବାଲୋଚିସ୍ତାନରେ ବିଚ୍ଛିନ୍ନତାବାଦୀ ଆତଙ୍କୀ ସଙ୍ଗଠନ ବଲୋଚ ଲିବରେସନ ଆର୍ମି ବିଭିନ୍ନ ସମୟରେ ଆକ୍ରମଣ କରି ଆସୁଛି। କିନ୍ତୁ ଏହି ବିସ୍ଫୋରଣ ପଛରେ କାହାର ହାତ ଅଛି, ସେ ନେଇ କୌଣସି ସୂଚନା ମିଳିନାହିଁ। ହେଲେ, ଏଥିରେ ଏହି ଆତଙ୍କୀ ସଙ୍ଗଠନ ବିଏଲ୍ଏ ର ହାତ ଥିବା ଅନୁମାନ କରାଯାଉଛି।