ନୂଆଦିଲ୍ଲୀ, ୧୦/୧୧: ଜମ୍ମୁ-କଶ୍ମୀରର କିସ୍ତଓ୍ଵାରର ଜଙ୍ଗଲ ଘେରା ଚାସ୍ ଅଞ୍ଚଳରେ ଚାଲିଥିବା ଅପରେସନରେ ଭାରତୀୟ ସେନାର ୩ ଜଣ ପାରାଟ୍ରୁପର ଆହତ ହୋଇଛନ୍ତି। ଅନ୍ୟ ପଟେ ଶ୍ରୀନଗରର ହରୱାନ ଅଞ୍ଚଳରେ ଆଉ ଏକ ଏନକାଉଣ୍ଟର ଆରମ୍ଭ ହୋଇଛି।
ଏହି ଅଞ୍ଚଳରେ ସୀମାପାର ଆତଙ୍କବାଦୀ ସଂଗଠନର ସଦସ୍ୟମାନେ ଅପରେସନ ଆରମ୍ଭ ହେବା ପରେ ସେଠାରେ ଲୁଚି ରହିଥିବା ଅନୁମାନ କରାଯାଉଛି। ୧୧ ରାଷ୍ଟ୍ରୀୟ ରାଇଫଲ୍ସ ସହ ମିଶି ଭାରତୀୟ ସେନା ଆତଙ୍କବାଦୀଙ୍କ ବିରୋଧରେ ବ୍ୟାପକ ଅଭିଯାନ ଆରମ୍ଭ କରିବା ପରେ ଗୁଳିବିନିମୟ ଆରମ୍ଭ ହୋଇଥିଲା।
ଶ୍ରୀନଗରର ଦଚିଗାମ ଓ ନିଶାତର ଉପର ମୁଣ୍ଡ ମଧ୍ୟରେ ଥିବା ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ବେଳେ ସକାଳ ପ୍ରାୟ ୯ଟା ବେଳେ ଗୁଳିବିନିମୟ ହୋଇଥିଲା। ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି ।
ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଶ୍ରୀନଗରର ଜବରୱାନ ଜଙ୍ଗଲ ଅଞ୍ଚଳରେ ପୁଲିସ ଓ ସୁରକ୍ଷା ବାହିନୀର ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଅପରେସନ ସମୟରେ ଗୁଳି ବିନିମୟ ହୋଇଥିଲା।
ସୂଚନାଯୋଗ୍ୟ, ଗତ କିଛି ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ଏକାଧିକ ଗୁଳିବିନିମୟ ଓ ଆତଙ୍କବାଦୀ ଆକ୍ରମଣ ହୋଇଛି, ଯେଉଁଥିରେ ଅନେକ ଆତଙ୍କବାଦୀ ଓ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି। ସେହିପରି ବଢୁଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶନିବାର କଠୁଆ ଜିଲ୍ଲାରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିଥିଲେ।