ଦୁଷ୍କର୍ମ! ସମାଜ ପାଇଁ ଚିନ୍ତାଜନକ ବିଷୟ 

ପଢନ୍ତୁ କାରଣ, ନିରାକରଣ ଓ ସମାଜ ଉପରେ ପଡୁଥିବା ପ୍ରଭାବ 

ଭୁବନେଶ୍ବର, ୧୦/୧୧: କେବଳ ଓଡିଶାରେ ନୁହେଁ, ବରଂ ସାରା ଭାରତ ବର୍ଷରେ ଦୁଷ୍କର୍ମ ଏକ ଗମ୍ଭୀର ଅପରାଧ। ଯାହା କୌଣସି ବ୍ଯକ୍ତିକୁ କ୍ଷତି ପହଞ୍ଚାଇବା ସହିତ ସାମାଜିକ ମୂଲ୍ୟବୋଧ ଏବଂ ନିରାପତ୍ତାକୁ ମଧ୍ୟ ନଷ୍ଟ କରିଥାଏ। ଭାରତର ଆଇନଗତ ଢାଞ୍ଚା ପୀଡ଼ିତାଙ୍କୁ ସମର୍ଥନ ଓ ସୁରକ୍ଷା ଦେବା ପାଇଁ ପ୍ରୟାସ କରୁଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମ୍ମୁଖୀନ କରୁଛି। ସମଗ୍ର ଭାରତରେ ବଳାତ୍କାର ଅପରାଧ ବୃଦ୍ଧି ଯୋଗୁଁ ବ୍ୟାପକ ଆଇନଗତ ସଂସ୍କାର ଏବଂ ସାମାଜିକ ଆଚରଣରେ ପରିବର୍ତ୍ତନ ପାଇଁ ଦାବି ହୋଇଆସୁଛି। ଦୁଷ୍କର୍ମ ଏକ ଗମ୍ଭୀର ସମସ୍ୟା ପାଲଟିଥିବା ବେଳେ ଦିନକୁ ଦିନ ଏହି ମାମଲା ବୃଦ୍ଧି ପାଇବାରେ ଲାଗିଛି। ଅତୀତରେ ମଧ୍ୟ ଅନେକ ମାମଲା ସାମ୍ନାକୁ ଆସିଛି। ଉଦାହରଣ ସ୍ୱରୂପ ଦିଲ୍ଲୀର ନିର୍ଭୟା ଗଣବଳାତ୍କାର ଘଟଣା। ଏଥିରେ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣା ଯାଇଥିଲା।

ବ୍ରିଟିଶ ଅମଳରୁ ଚାଲି ଆସୁଥିବା ପୁରୁଣା ଆଇନରେ ବହୁ ପରିବର୍ତ୍ତନ ଆସିଛି। ଆଇନରେ ମହିଳାଙ୍କ ବିରୋଧରେ ହେଉଥିବା ହିଂସା ଓ ଅପରାଧକୁ ରୋକିବା ସହ ଅପରାଧୀଙ୍କୁ କଠୋର ଦଣ୍ଡବିଧାନ ଭଳି ବ୍ୟବସ୍ଥା ରହିଛି।

ଭାରତରେ ଦୁଷ୍କର୍ମ ବିରୋଧରେ ଥିବା ଆଇନ:

• ଭାରତୀୟ ନ୍ୟାୟ ସଂହିତା (ବିଏନଏସ), ୨୦୨୩: ବ୍ରିଟିଶ ଅମଳର ଭାରତୀୟ ଦଣ୍ଡ ବିଧି (ଆଇପିସି), ୧୮୬୦ର ସ୍ଥାନରେ ନୂତନ ଭାବେ ପ୍ରଣୟନ କରାଯାଇଥିବା ବିଏନଏସ, ୨୦୨୩ ମହିଳା ବିରୋଧୀ ହିଂସାରେ ବହୁ ପରିବର୍ତ୍ତନ ଆଣିଛି। ଏଥିରେ ୧୮ ବର୍ଷରୁ କମ୍ ନାବାଳିକାଙ୍କୁ ଗଣଦୁଷ୍କର୍ମ କଲେ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ସମେତ କଠୋର ଦଣ୍ଡ ବିଧାନ କରାଯାଇଛି।

• ଫୌଜଦାରୀ ଆଇନ (ସଂଶୋଧନ) ଆଇନ, ୨୦୧୩: ୨୦୧୨ରେ ଦିଲ୍ଲୀରେ ନିର୍ଭୟା ଦୁଷ୍କର୍ମ ମାମଲାରେ କ୍ରିମିନାଲ୍ ସଂଶୋଧନ ଆଇନ ୨୦୧୩ ପ୍ରଣୟନ କରାଯାଇଥିଲା, ଯେଉଁଥିରେ ଦୁଷ୍କର୍ମ ପାଇଁ ସର୍ବନିମ୍ନ ଦଣ୍ଡ ୭ରୁ ୧୦ ବର୍ଷକୁ ବୃଦ୍ଧି କରାଯାଇଥିଲା। ଯଦି ପୀଡ଼ିତାଙ୍କ ମୃତ୍ୟୁ ତେବେ ଦୋଷୀଙ୍କ ସର୍ବନିମ୍ନ ଦଣ୍ଡକୁ ୨୦ ବର୍ଷକୁ ବୃଦ୍ଧି କରାଯାଇଥିଲା।

• ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା (ପୋକ୍ସୋ) ଆଇନ, ୨୦୧୨: ଶିଶୁମାନଙ୍କୁ ଯୌନ ନିର୍ଯାତନା, ନିର୍ଯାତନା ଏବଂ ପର୍ଣ୍ଣୋଗ୍ରାଫିରୁ ରକ୍ଷା କରିବା।

ଭାରତରେ ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ରହିଥିବା ଅଧିକାର:

• ଜିରୋ ଏଫଆଇଆର ଅଧିକାର: ପୀଡ଼ିତା ମାନେ ଅଧିକାର ନିର୍ବିଶେଷରେ ଯେକୌଣସି ଥାନାରେ ଜିରୋ ଫାଷ୍ଟ ଇନଫର୍ମେସନ ରିପୋର୍ଟ (ଏଫଆଇଆର) ଦାଖଲ କରିପାରିବେ। ଏହା ପରେ ତଦନ୍ତ ପାଇଁ ଏଫଆଇଆରକୁ ଉପଯୁକ୍ତ ଷ୍ଟେସନକୁ ହସ୍ତାନ୍ତର କରାଯିବ।

• ମାଗଣା ଚିକିତ୍ସା: କ୍ରିମିନାଲ ପ୍ରୋସିଜର କୋଡ୍ (ସିଆରପିସି), ୧୯୭୩ (ବର୍ତ୍ତମାନ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ୍), ୨୦୨୩ ର ଧାରା ୩୫୭ସି ଅନୁଯାୟୀ, ସମସ୍ତ ଡାକ୍ତରଖାନା ଦୁଷ୍କର୍ମ ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବା ଆବଶ୍ୟକ।

• ସମୟାନୁସାରେ ତଦନ୍ତ: ପୀଡ଼ିତାଙ୍କ ସୁବିଧାନୁସାରେ ଜଣେ ମହିଳା ପୋଲିସ ଅଧିକାରୀ କିମ୍ବା ଅନ୍ୟ କୌଣସି ଅଧିକାରୀ ଙ୍କ ଦ୍ୱାରା ବୟାନ ରେକର୍ଡ କରାଯିବ। ପୀଡ଼ିତାଙ୍କ ପିତାମାତାଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯିବ।

• କ୍ଷତିପୂରଣ ଅଧିକାର: ସିଆରପିସିର ଧାରା ୩୫୭ଏ ରେ ଜାତୀୟ ଆଇନ ସେବା ପ୍ରାଧିକରଣର କ୍ଷତିପୂରଣ ଯୋଜନା ଅନୁଯାୟୀ ପୀଡ଼ିତାଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟତାମୂଳକ କରାଯାଇଛି।

ଭାରତରେ ବଳାତ୍କାର ମାମଲା କାହିଁକି ବୃଦ୍ଧି ପାଉଛି?

• ଦୁଷ୍କର୍ମକୁ ନେଇ ଜୋକ୍ସ: ଯୌନ ହିଂସାକୁ ନେଇ ବିଭିନ୍ନ ସୋସିଆଲ ମିଡ଼ିଆରେ ହାସ୍ୟାସ୍ପଦ ମନ୍ତବ୍ୟ ଦିଆଯାଉଛି। ଷ୍ଟାଣ୍ଡ ଅପ୍ କମେଡିଆନ ମାନେ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ସର୍ବସମ୍ମୁଖରେ କମେଡି କରୁଛନ୍ତି। ଯାହା ଏହି ଘଟଣାକୁ ଆହୁରି ପ୍ରୋତ୍ସାହିତ କରୁଛି।

• ପୀଡ଼ିତାଙ୍କୁ ଦାୟୀ କରିବା: ଅପରାଧୀଙ୍କ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ସାଧାରଣତଃ ଲୋକମାନେ ପୀଡିତାଙ୍କୁ ଦାୟୀ କରାଯାଉଛି। ମହିଳାଙ୍କ ପୋଷାକ ପରିଧାନକୁ ଅଧିକ ଦାୟୀ କରାଯାଉଛି। ଭାରତରେ ସର୍ଭେ କରାଯାଇଥିବା ୬୮% ବିଚାରପତି ଏହି ମତ ରଖିଛନ୍ତି। ପୀଡ଼ିତାଙ୍କୁ ଅନେକ ସମୟରେ ଲଜ୍ଜିତ ହେବାକୁ ବାଧ୍ୟ କରାଯାଏ।

• ମଦ୍ୟପାନ: ମଦ୍ୟପାନ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଯାହା ଅଧିକ ଦୁଷ୍କର୍ମ ହାର ପାଇଁ ଦାୟୀ। ଜଣେ ମଦ୍ୟପ ବ୍ୟକ୍ତି ମଦ୍ୟପାନ କଲା ପରେ ନିଜର ବିଚାର ଶକ୍ତି ହରାଇ ବସିଥାଏ। ଯାହାଫଳରେ ସେ ଅଧିକ ଆକ୍ରମଣାତ୍ମକ ଏବଂ ହିଂସାତ୍ମକ ଆଚରଣ ସୃଷ୍ଟି କରିପାରେ।

• ଗଣମାଧ୍ୟମରେ ମହିଳା ବିରୋଧୀ ଛବି: ଭାରତରେ ଚଳଚ୍ଚିତ୍ର ଏବଂ ଧାରାବାହିକ ଗୁଡ଼ିକରେ ପ୍ରାୟତଃ ମହିଳାମାନଙ୍କୁ କେବଳ ଇଚ୍ଛାର ବସ୍ତୁ ଭାବରେ ଉପସ୍ଥାପନ ଚିତ୍ରଣ କରାଯାଏ। ପ୍ରାୟତଃ ଆଧୁନିକ ଚଳଚ୍ଚିତ୍ରରେ ଉତ୍ତେଜନାପୂର୍ଣ୍ଣ ଛବି ପ୍ରଦର୍ଶିତ ହେବା ଫଳରେ ଲୋକଙ୍କ ଉପରେ ଏହା ଅଧିକ କୁପ୍ରଭାବ ପକାଇଥାଏ।

• ପର୍ଯ୍ୟାପ୍ତ ମହିଳା ପୋଲିସ ଅଭାବ: ସାଧାରଣତଃ ପୀଡିତାମାନେ ଏଭଳି ପ୍ରସଙ୍ଗରେ ମହିଳା ପୋଲିସ ଅଧିକାରୀଙ୍କୁ ଜଣାଇବାକୁ ସହଜ ମନେ କରିଥାଆନ୍ତି। କିନ୍ତୁ ଭାରତର ପୋଲିସ ଷ୍ଟେସନରେ ପର୍ଯ୍ୟାପ୍ତ ମହିଳା ପୋଲିସ ଅଧିକାରୀଙ୍କ ଯୋଗଦାନ ନଥାଏ। ସର୍ଭେ ଅନୁସାରେ, ୨୦୨୨ରେ ଭାରତର ପୋଲିସ ବାହିନୀରେ ମାତ୍ର ୧୧.୭୫% ମହିଳା ଅଧିକାରୀ ଥିଲେ।

• ପୀଡ଼ିତାଙ୍କ ସମାଜ ପ୍ରତି ଥିବା ଆଚରଣ: ପୀଡିତାମାନେ ଏଭଳି ଘଟଣାର ସମ୍ମୁଖୀନ ହେବାର ଅନ୍ୟ ଏକ କାରଣ ପୀଡିତାଙ୍କ ମଦ୍ୟପାନ ଏବଂ ବିଳମ୍ବିତ ରାତିରେ ବୁଲିବାକୁ ଦାୟୀ କରାଯାଏ, ଯାହା ବ୍ୟାପକ ସାମାଜିକ ସମସ୍ୟାକୁ ପ୍ରତିଫଳିତ କରେ। କେତେକ ବ୍ୟକ୍ତି ବିଶ୍ୱାସ କରନ୍ତି ଯେ ଯୌନ ଉତ୍ପୀଡ଼ନ ଏବଂ ହିଂସାକୁ ମହିଳାମାନେ କେବଳ ସେମାନଙ୍କ ଆଚରଣରେ ପରିବର୍ତ୍ତନ କରି ଏଡାଇ ପାରିବେ।

• ନୀରବତା ପାଇଁ ପରାମର୍ଶ: ସାମାଜିକ ବିଚାରକୁ ଲକ୍ଷ୍ୟ କରି ପୀଡିତାଙ୍କୁ ନିରବ ରହିବା ପାଇଁ ବାଧ୍ୟ କରାଯାଏ। ଏହି ସମ୍ବେଦନଶୀଳ ଘଟଣାକୁ ଲଜ୍ଜାଜନକ ବୋଲି ବର୍ଣ୍ଣନା କରିବା ସହ ଥାନାରେ ଏତଲା ଦାୟର କଲେ ଲୋକମାନେ ଜାଣିବେ। ଏଥିରେ ନିଜର ସମ୍ମାନହାନି ବୋଲି ଲୋକମାନଙ୍କର ଆଜି ବି ଏହି ମାନସିକତା ରହିଛି। ଯାହା ଦୁଷ୍କର୍ମ ପାଇଁ ପୁରୁଷଙ୍କୁ ପ୍ରୋତ୍ସାହିତ କରିଥାଏ।

୨୦୧୨ ପରଠାରୁ ବାର୍ଷିକ ୩୦,୦୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି। ୨୦୨୨ରେ ୩୧,୦୦୦ରୁ ଅଧିକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା, ଯାହା ଏହି ପ୍ରସଙ୍ଗର ଗମ୍ଭୀରତାକୁ ଦର୍ଶାଉଛି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ କଠୋର ଆଇନ ସତ୍ତ୍ୱେ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହାର କମ୍ ରହିଛି ଏବଂ ୨୦୧୮ରୁ ୨୦୨୨ ମଧ୍ୟରେ ଏହା ୨୭ରୁ ୨୮ ପ୍ରତିଶତ ମଧ୍ୟରେ ରହିଛି। ଅନେକ ସମୟରେ ବଳାତ୍କାର ଘଟୁଥିଲେ ମଧ୍ୟ ଥାନାରେ ରିପୋର୍ଟ ଦାୟର ହୁଏ ନାହିଁ। ଏଥିପାଇଁ ଅନେକ ଗୁଡିଏ କାରଣ ରହିଛି।

ବଳାତ୍କାର ଅଭିଯୋଗ ହାର କମ୍ ହେବାର କାରଣ:-

• ଯଦି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ କିମ୍ବା ମାମଲା ଦାୟର କରାଯାଏ, ତାହାଲେ ଦୋଷୀ ହୁଏତ ପ୍ରତିଶୋଧ ପରାୟଣ ହୋଇପାରେ। ପ୍ରତିଶୋଧ ଭୟରେ ଓ ଆଇନଗତ ବ୍ୟବସ୍ଥା ଉପରେ ବିଶ୍ୱାସର ଅଭାବ କିମ୍ବା ଆଇନଗତ ପ୍ରକ୍ରିୟାର ଅପାରଗତା କାରଣରୁ ଅନେକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁନାହିଁ।

• ସେହିପରି ସାମାଜିକ ପ୍ରତ୍ୟାଖ୍ୟାନ ଏବଂ ସ୍ୱାଧୀନ ଭାବେ ବଞ୍ଚିବାର ଅଧିକାର ନ ରହିବା ଭୟ କାରଣରୁ ଅନେକ ଆଇନଗତ ପ୍ରକ୍ରିୟାରୁ ଓହରିଯିବାକୁ ବାଧ୍ୟ ହୋଇଥାନ୍ତି।

• ଦୁଷ୍କର୍ମର ଶିକାର ହୋଇଥିବା ଅନେକ ପୀଡ଼ିତାଙ୍କୁ ପର୍ଯ୍ୟାପ୍ତ ମାନସିକ, ଆଇନଗତ କିମ୍ବା ଡାକ୍ତରୀ ସହାୟତା ମିଳିନଥାଏ, ଯାହା ସେମାନଙ୍କ ନ୍ୟାୟକୁ ପ୍ରଭାବଶାଳୀ ଭାବରେ ଅନୁସରଣ କରିବାର କ୍ଷମତାକୁ ପ୍ରଭାବିତ କରିପାରେ।

• ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ନ୍ୟାୟ ପ୍ରଦାନରେ ବିଳମ୍ବ ହୋଇଥାଏ ଯେପରିକି ନିର୍ଭୟା ଗଣ ବଳାତ୍କାର ମାମଲା। ଏହି ମାମଲାରେ ଦୋଷୀଙ୍କୁ ଦଣ୍ଡବିଧାନ ଶୁଣାଇବା ପାଇଁ ୭ ବର୍ଷ ସମୟ ଲାଗି ଯାଇଥିଲା।

ବଢୁଥିବା ଦୁଷ୍କର୍ମ ମାମଲାର ପ୍ରଭାବ କ’ଣ?

ପ୍ରତିବନ୍ଧକ ଏବଂ ନିରାପତ୍ତା ଚିନ୍ତା: ସାମାଜିକ ନିୟମ ଏବଂ ନିରାପତ୍ତା ଚିନ୍ତା କାରଣରୁ ସେମାନଙ୍କ ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲାଗିଥାଏ। ଅନେକ ସମୟରେ ସୁରକ୍ଷା ଦୃଷ୍ଟିରୁ ବିଳମ୍ବ ରାତିରେ ବାହାରକୁ ବାହାରିବା ଅସମ୍ଭବ ମନେ କରନ୍ତି। ଏହା ସହ ଚିନ୍ତିତ ବାପା ମା ଏକୁଟିଆ ବାହାରକୁ ବାହାରିବା ପାଇଁ ରାଜି ନ ହେବା ସ ହିତ ନିଜ ଝିଅ ମାନଙ୍କ ସୁରକ୍ଷା ଉପରେ ନିଶ୍ଚିତ ନଥାନ୍ତି।

କର୍ମକ୍ଷେତ୍ର ଉପରେ ପ୍ରଭାବ: କର୍ମକ୍ଷେତ୍ରରେ ବଢୁଥିବା ଯୌନ ଅପରାଧ ମହିଳାମାନଙ୍କୁ କ୍ୟାରିୟର ଗଢିବାରୁ ବାରଣ କରିଥାଏ। କମ୍ପାନିଗୁଡ଼ିକ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦେବା ବେଳେ ଅନିଚ୍ଛାକୃତ କାର୍ଯ୍ୟ ପାଇଁ ବାଧ୍ୟ କରିଥାନ୍ତି। ଯାହା କ୍ୟାରିୟର ସୁଯୋଗ ହାସଲ କରିବାରେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରନ୍ତି।

ସମସ୍ୟାର ସମାଧାନ ପାଇଁ କ’ଣ ରହିଛି ବାଟ:-

• ମହିଳା ବିରୋଧୀ ହିଂସାକୁ ରୋକିବା ଓ ମହିଳାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆଇନଗତ ଢାଞ୍ଚାରେ ଆହୁରି ସଂସ୍କାର ଆଣିବା ଆବଶ୍ୟକ ରହିଛି। ତ୍ୱରିତ ନ୍ୟାୟ ପ୍ରଦାନ ପୀଡ଼ିତାଙ୍କୁ ଅଭିଯୋଗ ଦାୟର କରିବା ପାଇଁ ସାହସ ଯୋଗାଇବ।

• ମହିଳାମାନେ ଏହି ସଂକ୍ରାନ୍ତରେ ଆଇନ ସମ୍ବନ୍ଧୀୟ ଶିକ୍ଷା ଜାଣିବା ଉଚିତ୍। ଯାହା ଦ୍ୱାରା ସେମାନେ ଅଭିଯୋଗ ଦାୟର ପାଇଁ କୁଣ୍ଠାବୋଧ କରିବେ ନାହିଁ।

• ଏଥିରେ ଗଣମାଧ୍ୟମର ପ୍ରମୁଖ ଦାୟିତ୍ବ ରହିଛି। ମହିଳାଙ୍କ ଚିତ୍ରଣ ପାଇଁ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସମ୍ବେଦନଶୀଳ ରହିବା ଉଚିତ୍।