ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସଞ୍ଜୀବ ଖାନ୍ନା

ରାଷ୍ଟ୍ରପତି ଭବନରେ ଭାରତର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ସଞ୍ଜୀବ ଖାନ୍ନା।

ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ, ୧୧/୧୧: ଜଷ୍ଟିସ ସଞ୍ଜୀବ ଖାନ୍ନା ତାଙ୍କ ପୂର୍ବବର୍ତ୍ତୀ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ଅବସର ପରେ ସୋମବାର ରାଷ୍ଟ୍ରପତି ଭବନରେ ଭାରତର ୫୧ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ଶକ୍ତି ମନ୍ତ୍ରୀ ମନୋହର ଲାଲ ଖଟ୍ଟର, ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ଖାନ୍ନାଙ୍କୁ ଶପଥ ପାଠ କରାଇଥିଲେ।

ଜଷ୍ଟିସ ଖାନ୍ନାଙ୍କ ନାମ ଜଷ୍ଟିସ ଚନ୍ଦ୍ରଚୂଡ଼ ସୁପାରିସ କରିଥିଲେ। ଜଷ୍ଟିସ ଚନ୍ଦ୍ରଚୂଡ଼ ନଭେମ୍ବର ୧୦ରେ ୬୫ ବର୍ଷ ବୟସରେ ଏହି ପଦରୁ ଅବସର ନେଇଥିଲେ। ଆସନ୍ତା ବର୍ଷ ମେ ୧୩ ତାରିଖ ପର୍ଯ୍ୟନ୍ତ ଜଷ୍ଟିସ ଖାନ୍ନା ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ।

ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଦିଲ୍ଲୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ଲ’ ସେଣ୍ଟରରେ ଆଇନ ଅଧ୍ୟୟନ କରିଥିଲେ। ସେ ନ୍ୟାସନାଲ ଲିଗାଲ ସର୍ଭିସ ଅଥରିଟି ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ୨୦୧୯ ଜାନୁଆରୀରେ ସୁପ୍ରିମ୍ କୋର୍ଟରେ ନିଯୁକ୍ତ ହୋଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଥିବା ସମୟରେ ସେ ମଦ ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ। ଜଷ୍ଟିସ ଖାନ୍ନାଙ୍କ ଖଣ୍ଡପୀଠ ମେ’ ମାସରେ କେଜ୍ରିଓ୍ଵାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।