ନିର୍ଦ୍ଦେଶକ ଅନନ୍ତ ମହାପାତ୍ରଙ୍କୁ ମିଳିବ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ ପୁରସ୍କାର
୩୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି।
‘ଦମନ’ ୨୦୨୨ର ଶ୍ରେଷ୍ଠ ଚଳଚ୍ଚିତ୍ର
ଭୁବନେଶ୍ୱର, ୧୪/୧୧: ଆଜି ସଂସ୍କୃତି ଭବନରେ ୨୦୨୨ ମସିହା ପାଇଁ ୩୪ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଦୀପେନ୍ଦ୍ର ସାମଲଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ଦମନ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବିବେଚିତ କରାଯାଇଛି। ସେହିପରି ଦମନ ଚଳଚ୍ଚିତ୍ରରେ ଅଭିନୟ ପାଇଁ ବାବୁଶାନ ମହାନ୍ତିଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତା ପୁରସ୍କାର ମିଳିବ। ମାୟାବୀ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସୁଧାଂଶୁ ମୋହନ ସାହୁଙ୍କୁ ବିବେଚିତ କରାଯାଇଛି। ଅନ୍ୟପଟେ ‘ବୋଉର ହାତ ବାକ୍ସ’ ଚଳଚ୍ଚିତ୍ରରେ ଶ୍ରେଷ୍ଠ ଅଭିନୟ ପାଇଁ ଲୋପାମୁଦ୍ରା ମିଶ୍ରଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିବ ବୋଲି ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି ଘୋଷଣା କରିଛନ୍ତି। ବାଘ ବଜାରୀ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ କାହାଣୀକାର ଭାବେ ମିହିର ରଞ୍ଜନ ଆଚାର୍ଯ୍ୟଙ୍କ ନାମ ଘୋଷଣା କରାଯାଇଛି।
୨୦୨୧ ମସିହା ପାଇଁ ‘ପ୍ରତୀକ୍ଷା’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଓ ୨୦୨୦ ପାଇଁ ‘ସହିଦ ରଘୁ ସର୍ଦ୍ଦାର’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ବିବେଚିତ କରାଯାଇଛି।
ପଙ୍କଜ ଜାଲଙ୍କୁ ଖରା ଚଳଚ୍ଚିତ୍ର ପାଇଁ ବାଳକୃଷ୍ଣ ଦାସ ସମ୍ମାନ ନିମନ୍ତେ ବିବେଚିତ କରାଯାଇଛି। ନିର୍ଦ୍ଦେଶକ ଅନନ୍ତ ମହାପାତ୍ରଙ୍କୁ ୨୦୨୦ ପାଇଁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ ସମ୍ମାନରେ ସମ୍ମାନିତ କରାଯିବ। ସିନେମା ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ଶ୍ରୀ ମହାପାତ୍ରଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ୨୦୨୧ ଓ ୨୦୨୨ ବର୍ଷ ପାଇଁ କଳାକାର ଶ୍ରୀନିବାସ ମହାପାତ୍ର ଓ ଜୟରାମ ସାମଲଙ୍କୁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ ପୁରସ୍କାର ପ୍ରଦାନ କରାଯିବ। ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ’ ପୁରସ୍କାର ବିଜେତାଙ୍କୁ ନଗଦ ୫ ଲକ୍ଷ ଟଙ୍କା ଓ ପ୍ରଶଂସାପତ୍ର ପ୍ରଦାନ କରାଯିବ। ଆଜି ଲଗାତାର ୩ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି।