ଭାରତରେ ବଡ଼ ଧରଣର ହାମଲା ପାଇଁ ଯୋଜନା ଚଳାଇଛି ଆତଙ୍କୀ ଗୋଷ୍ଠୀ
ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ରୋକିବା ପାଇଁ ନିୟନ୍ତ୍ରଣ ରେଖା ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ପିଓକେରେ ପ୍ରସ୍ତୁତ ହେଉଛନ୍ତି ୧୨୦ ଉଚ୍ଚ ପ୍ରଶିକ୍ଷିତ ଆତଙ୍କବାଦୀ: ଗୁଇନ୍ଦା ସୂତ୍ରରୁ ପ୍ରକାଶ
ନୂଆଦିଲ୍ଲୀ, ୧୮/୧୧: ଭାରତରେ ହୋଇପାରେ ବଡ଼ ଧରଣର ହାମଲା। ଦେଶ ଭିତରକୁ ପ୍ରବେଶ କରିବାକୁ ପ୍ରସ୍ତୁତ ଅଛନ୍ତି ୧୨୦ ଉଚ୍ଚ ପ୍ରଶିକ୍ଷିତ ଆତଙ୍କବାଦୀ। ଏ ନେଇ ହାଇ ଆଲର୍ଟରେ ଅଛି ଭାରତୀୟ ସେନା। ନିୟନ୍ତ୍ରଣ ରେଖା (ଏଲଓସି) ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସହର ପର୍ଯ୍ୟନ୍ତ, ପାଖାପାଖି ୧୨୦ ଜଣ ତାଲିମପ୍ରାପ୍ତ ଆତଙ୍କବାଦୀଙ୍କୁ ନେଇ ୪ଟି ଲଞ୍ଚପ୍ୟାଡ୍ ଭାରତରେ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ଅଛନ୍ତି। ଗୁଇନ୍ଦା ଏଜେନ୍ସି ସୂତ୍ରରୁ ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ହାଇ ଆଲର୍ଟରେ ରଖାଯାଇଛି।
ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ନୀଲମ ଉପତ୍ୟକାରେ ନୂତନ ଭାବେ ସ୍ଥାପିତ ୪ଟି ଲଞ୍ଚପ୍ୟାଡରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଗୁଇନ୍ଦା ସୂଚନାରୁ ଜଣାପଡ଼ିଛି। ସୁରକ୍ଷାବାହିନୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନୀଲମ ଉପତ୍ୟକାର ୪ଟି ଲଞ୍ଚପ୍ୟାଡରେ ଲସ୍କର-ଏ-ତୋଇବା, ହିଜବୁଲ ମୁଜାହିଦ୍ଦିନ ଏବଂ ଜୈଶ-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନର ପାଖାପାଖି ୧୨୦ ଜଣ ଆତଙ୍କବାଦୀ ଭାରତରେ ପ୍ରବେଶ କରିବାକୁ ପ୍ରଶିକ୍ଷଣ ନେଉଛନ୍ତି। ସେମାନଙ୍କୁ ପାକିସ୍ତାନୀ ସେନା ତରଫରୁ ପ୍ରଶିକ୍ଷଣ ଦିଆ ଯାଉଛି।
ଆଗକୁ ଡିସେମ୍ବର ଓ ଜାନୁୟାରୀ ମାସରେ ଆହୁରି ବେଶୀ ଥଣ୍ଡା ପଡିବାର ସମ୍ଭାବନା ଥିବାରୁ ତୁଷାରପାତ ଯୋଗୁଁ ଅନୁପ୍ରବେଶ ରାସ୍ତା ବନ୍ଦ ହେବା ପୂର୍ବରୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ରୋକିବା ପାଇଁ ନିୟନ୍ତ୍ରଣ ରେଖା ଏବଂ ଦେଶର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଅତିରିକ୍ତ ଫୋର୍ସ ଏବଂ ପାଟ୍ରୋଲିଂ ବୃଦ୍ଧି କରାଯାଇଛି। ବିଶେଷକରି ବାରାମୁଲା, କୁପଓ୍ଵାରା ଏବଂ ବନ୍ଦିପୋରା, ରାଜୌରୀ ଏବଂ ପୁଞ୍ଚରେ ବିପଦ ଆଶଙ୍କା ରହିଛି। ଜମ୍ମୁ-କଶ୍ମୀରରେ ସକ୍ରିୟ ଆତଙ୍କବାଦୀଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଆତଙ୍କବାଦୀମାନେ ତାଙ୍କ ଶକ୍ତି ପ୍ରଦର୍ଶନ ପାଇଁ ପୁଣି ଅଣ୍ଟା ଭିଡିଛନ୍ତି।
ଏଭଳି ପରିସ୍ଥିତିର ମୁକାବିଲା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ନିୟନ୍ତ୍ରଣ ରେଖା ନିକଟରେ ଏକ ମଜବୁତ ଗ୍ରିଡ୍ ସ୍ଥାପନ କରିଛି। ଅନୁପ୍ରବେଶ ଉଦ୍ୟମକୁ ପ୍ରତିହତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି।
ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କାଶ୍ମୀର ଅଞ୍ଚଳରୁ ୨ ଆତଙ୍କବାଦୀଙ୍କୁ ଗିରଫ କରାଯିବା ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଅନ୍ୟ ପଟେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ପୀର ପାଞ୍ଜାଲ ପର୍ବତମାଳା ନିକଟରେ ଥିବା ୬ଟି ଗାଁରେ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଶ୍ରୀନଗର ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଯଥେଷ୍ଟ ବୃଦ୍ଧି କରାଯାଇଛି ବୋଲି ସେନା ତରଫରୁ ସୂଚନା ମିଳିଛି।