ସୌର ଶକ୍ତି ଚୁକ୍ତି ପାଇଁ ଲାଞ୍ଚ ଦେଉଥିଲେ ଆଦାନୀ
ଭାରତ ସରକାରଙ୍କ ଅଧିକାରୀମାନଙ୍କୁ ୨୦୨୯ କୋଟି ଟଙ୍କା ଲାଞ୍ଚ ଦେବା ଭଳି ଅଭିଯୋଗ ରହିଛି।
ଓଡ଼ିଶା ସହିତ ଅଛି ଲିଙ୍କ!
ନୂଆଦିଲ୍ଲୀ, ୨୧/୧୧: ଗୌତମ ଆଦାନୀଙ୍କ ବିରୋଧରେ ସୌର ଶକ୍ତି ଚୁକ୍ତି ହାସଲ ପାଇଁ କେନ୍ଦ୍ର ସରକାରଙ୍କୁ ଲାଞ୍ଚ ଦେବା ଭଳି ସଙ୍ଗୀନ ଅଭିଯୋଗ ଆଣିଛି ଯୁକ୍ତରାଷ୍ଟ୍ର ଆମେରିକା। ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନୀ ଗୁଡ଼ିକ ସହିତ ଚୁକ୍ତି କରାଇ ଦେବା ପାଇଁ ଭାରତ ସରକାରଙ୍କ ଅଧିକାରୀମାନଙ୍କୁ ୨୦୨୯ କୋଟି ଟଙ୍କା (୨୬୫ ନିୟୁତ ଡଲାର) ଲାଞ୍ଚ ଦେବା ଭଳି ଅଭିଯୋଗ ରହିଛି। ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ସହ ତାଙ୍କ ପୁତୁରା ସାଗର ଆଦାନୀଙ୍କ ନାଁରେ ମଧ୍ୟ ଅଭିଯୋଗ ଆସିଛି। ଏହା ବ୍ୟତୀତ ଅନ୍ୟ ୬ ଜଣଙ୍କ ବିରୋଧରେ ମଧ୍ୟ ଏହି ଅଭିଯୋଗ ଆଣିଛି ଆମେରିକା। ୨୦୨୦ରୁ ୨୦୨୪ ମଧ୍ୟରେ ଏହି ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି।
ଆମେରିକୀୟ ଓକିଲମାନେ ଦାବି କରିଛନ୍ତି ଯେ ଏହି ତଥ୍ୟ ଆମେରିକୀୟ ବ୍ୟାଙ୍କ ଏବଂ ନିବେଶକଙ୍କଠାରୁ ଲୁଚା ଯାଇଥିଲା। ସେମାନଙ୍କଠାରୁ ଆଦାନୀ ଗ୍ରୁପ୍ ସୌର ଶକ୍ତି ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ସଂଗ୍ରହ କରିଥିଲା।
ଭାରତୀୟ ସୌର ଶକ୍ତି ନିଗମ (ଏସ୍ଇସିଆଇ)କୁ ୧୨ ଗିଗାୱାଟ୍ ସୌର ଶକ୍ତି ଯୋଗାଇଦେବା ପାଇଁ ‘ଇଣ୍ଡିଆନ୍ ଏନର୍ଜି କମ୍ପାନି’ ଏବଂ ‘ୟୁଏସ୍ ଇସ୍ୟୁଅର୍’ ଚୁକ୍ତି ପାଇଛନ୍ତି। କିନ୍ତୁ ଭାରତରୁ କେହି ବି ସୌର ଶକ୍ତି କିଣି ନଥିଲେ। ନିୟମ ଅନୁସାରେ, କ୍ରେତାମାନଙ୍କ ବିନା ଚୁକ୍ତି ଆଗକୁ ବଢ଼ିପାରିବ ନାହିଁ। ତେଣୁ ଏହାପରେ ଆଦାନୀ ଗ୍ରୁପ୍ ଏବଂ ଆଜୁର ପାୱାର ଭାରତ ସରକାରଙ୍କ ଅଧିକାରୀମାନଙ୍କୁ ଲାଞ୍ଚ ଦେବାକୁ ଯୋଜନା କରିଥିଲେ।
ଏହା ବଦଳରେ ସରକାରୀ ଅଧିକାରୀମାନେ ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନିଗୁଡ଼ିକୁ ଏସ୍ଇସିଆଇ ସହ ବିଦ୍ୟୁତ୍ ଯୋଗାଣ ଚୁକ୍ତି କରିବାକୁ ରାଜି କରାଇବେ। ସେମାନେ ପାଖାପାଖି ୨୬୫ ନିୟୁତ ଡଲାର ଲାଞ୍ଚ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଅଜୁର ପାୱାରର ସିଇଓ ଥିବା ରଞ୍ଜିତ ଗୁପ୍ତା ଏବଂ ଅଜୁର ପାୱାରର ପରାମର୍ଶଦାତା ଏବଂ ସିଇଓ ରୂପେଶ ଅଗ୍ରୱାଲ “ୟୁଏସ ଇସ୍ୟୁଅର” ପାଇଁ କାମ କରୁଥିବା ଜଣାପଡିଛି।
ଏହି ଲାଞ୍ଚ ଯୋଗୁଁ ମାନୁଫାକ୍ଚରିଂ ଲିଙ୍କ୍ଡ ପ୍ରୋଜେକ୍ଟ (ଏମଏଲପି) ଅଧୀନରେ ସୌର ଶକ୍ତି ଚୁକ୍ତି ହୋଇପାରିଥିବା ବେଳେ ଆନ୍ଧ୍ର ପ୍ରଦେଶ ତଦନ୍ତର ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟିଛି। ନ୍ୟୁୟର୍କର ଇଷ୍ଟର୍ଣ୍ଣ ଡିଷ୍ଟ୍ରିକ୍ଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ବିଶେଷ କରି ଆନ୍ଧ୍ରପ୍ରଦେଶରେ ରାଜ୍ୟ ବିଦ୍ୟୁତ ବିତରଣ କମ୍ପାନି ପାଇଁ ବିଦ୍ୟୁତ୍ ବିକ୍ରୟ ଚୁକ୍ତି (ପିଏସଏ) ହାସଲ କରିବା ଉଦ୍ଦେଶ୍ୟରେ ଏହି ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି।
ଆନ୍ଧ୍ର ପ୍ରଦେଶ ସରକାର ସିଧାସଳଖ ଆଦାନି ଗ୍ରୁପ୍ ସହ ନୁହେଁ ବରଂ ସୌର ଶକ୍ତି ନିଗମ ଅଫ୍ ଇଣ୍ଡିଆ ସହ ଚୁକ୍ତି କରିଥିଲେ। ମେ ୨୦୧୯ରୁ ଜୁନ୍ ୨୦୨୪ ମଧ୍ୟରେ ଆନ୍ଧ୍ରପ୍ରଦେଶକୁ ପ୍ରାୟ ୧୭୫୦ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦିଆଯାଇଥିବା ଅଭିଯୋଗ ହୋଇଛି।
ଏହି ଅଭିଯୋଗ ପରେ ଭାରତର ଓଡ଼ିଶା, ତାମିଲନାଡୁ, ଛତିଶଗଡ଼ ଏବଂ ଜମ୍ମୁ-କଶ୍ମୀରରେ ଚୁକ୍ତି ସ୍ବାକ୍ଷରିତ କରାଇବା ପାଇଁ ଆଦାନୀ ଗ୍ରୁପ୍ ଏବଂ ଏହାର ସହଯୋଗୀମାନେ ରାଜି କରାଇବା ପାଇଁ ଲାଞ୍ଚ ଦେଇଥିଲେ। ଏହି କଣ୍ଟ୍ରାକ୍ଟ ଜରିଆରେ ୨୦ ବର୍ଷରେ ୨ ଆରବ ଡଲାର ଲାଭ କରିବ ବୋଲି ଆଶା ରଖିଥିଲା କମ୍ପାନୀ।