ଯାଜପୁର, ୨୦/୧୧: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓରଫ ଲିକୁ ସାହୁଙ୍କ ଉପରେ ବୁଧବାର ସନ୍ଧ୍ୟାରେ ଯାଜପୁର ଜିଲ୍ଲା ବୁଢ଼ାପୋଲରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି।ବିଧାୟକ ଲିକୁ ସାହୁ ଏକ ବୈଠକ ପାଇଁ ଡିଡିଏମଙ୍କ କାର୍ଯ୍ୟାଳୟକୁ ଯାଉଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଛି।
ବିଧାୟକ ଶ୍ରୀ ସାହୁ କହିଛନ୍ତି, ବୁଢ଼ାପୋଲ ନିକଟରେ ବିଜେଡ଼ି କର୍ମୀମାନେ ରାସ୍ତାରୋକ କରିଥିବାର ଦେଖି ଶ୍ରୀ ସାହୁ ଅଟକିଥିଲେ। ଏହାପରେ ଆକ୍ରମଣକାରୀମାନେ ଲାଠି ଓ ଲୁହା ରଡ ଧରି ତାଙ୍କ ଆଡ଼କୁ ଦୌଡ଼ି ଆସି ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଗାଡ଼ି ଭିତରେ ବିଧାୟକ ସାହୁଙ୍କୁ ଦେଖି ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ଚେନ୍ ଛଡ଼ାଇ ନେଇଥିଲେ। ଆକ୍ରମଣ ସମୟରେ ଦୁର୍ବୃତ୍ତମାନେ ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ନାମ ନେଉଥିବା ଶ୍ରୀ ସାହୁ କହିଛନ୍ତି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆକ୍ରମଣକାରୀ ଗିରଫ ନହେବା ପର୍ଯ୍ୟନ୍ତ ସେଠାରୁ ଯିବାକୁ ଅମଙ୍ଗ ଥିଲେ ବିଧାୟକ ଲିକୁ ସାହୁଙ୍କ ସମର୍ଥକ। ବିଜେପି କର୍ମୀ ରାସ୍ତା ରୋକ କରିଥିବା ସୂଚନା ମିଳିଛି।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ତିନୋଟି ଟିମ୍ ଗଠନ କରାଯାଇଛି ବୋଲି ଯାଜପୁର ଏସପି ୟଶପ୍ରତାପ ଶ୍ରୀମଲ କହିଛନ୍ତି।
ଅନ୍ୟପଟେ ଧର୍ମଶାଳା ବିଧାୟକଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ବବି ଦାସ। ବବି ଦାସ କହିଛନ୍ତି ବିରଜା ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନ କରାଯାଉଥିଲା। ପ୍ରକୃତ ଘଟଣା ସମ୍ପର୍କରେ ମୁଁ ଜାଣିନାହିଁ। କିନ୍ତୁ ଦୋଷୀଙ୍କୁ କୌଣସିମତେ ଛଡାଯିବ ନାହିଁ। ବବି ଦାସ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ତଦନ୍ତରେ ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ଏବଂ ସେ କିମ୍ବା ତାଙ୍କ ଦଳ ହିଂସାରେ ବିଶ୍ୱାସ କରେ ନାହିଁ ବୋଲି ସେ କହିଛନ୍ତି।