ଭୁବନେଶ୍ବର, ୨୩/୧୧: ଆସନ୍ତା ନଭେମ୍ବର ୨୪ ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବାକୁ ଯାଉଛି। ଏହି ପର୍ଯ୍ୟାୟରେ ପ୍ରାୟ ୨୨ ପ୍ରତିଶତ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଯେଉଁ ହିତାଧିକାରୀମାନେ ପ୍ରଥମେ ଆବେଦନ କରିଥିଲେ , ସେମାନଙ୍କୁ ଏହି ପର୍ଯ୍ୟାୟରେ ଟଙ୍କା ମିଳିବ। ଯେଉଁମାନଙ୍କ ଆବେଦନ ଖାରଜ ହୋଇଯାଇଛି, ସେମାନଙ୍କ ଆବେଦନଗୁଡିକୁ ପୁନଃ ଯାଞ୍ଚ କରାଯିବ। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ୧ କୋଟି ହିତାଧିକାରୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଅନ୍ୟାନ୍ୟ କାରଣରୁ ବାଦ୍ ପଡ଼ିଥିବା ବାକି ହିତାଧିକାରୀଙ୍କୁ ମଧ୍ୟ ବ୍ଲକସ୍ତରରେ ରିପୋର୍ଟ ଯାଞ୍ଚ କରିବା ପରେ ଏହି ଯୋଜନାରେ ସାମିଲ କରାଯିବ। ଏହି ହିତାଧିକାରୀଙ୍କ ବ୍ୟତୀତ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ ସମସ୍ତ ଅଙ୍ଗନବାଡ଼ି କର୍ମୀଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ। ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଡିସେମ୍ବରରେ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି।