ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ

୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

ଭୁବନେଶ୍ୱର, ୨୩/୧୧: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦୁଇଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ଶିଳ୍ପ ବିଭାଗ ଦ୍ୱାରା ଶିଳ୍ପ ନୀତି ୨୦୧୫ର ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ନୂତନ ଶିଳ୍ପ ନୀତି ଅଧୀନରେ ଶିଳ୍ପ ଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ। ଯେକୌଣସି ସମସ୍ୟା ଦ୍ୱାରା ଶିଳ୍ପ ଗୁଡ଼ିକ ପୂର୍ବରୁ ପ୍ରୋତ୍ସାହନ ପାଇଁ ଆବେଦନ କରି ପାରୁନଥିଲେ, ଏଥିପାଇଁ ଯେଉଁ ସମୟସୀମା ଥିଲା, ତାହା ଗୋଟିଏ ବର୍ଷରୁ ଦୁଇ ବର୍ଷକୁ ବୃଦ୍ଧି କରାଯାଇଛି। ସେହିପରି ୩୦ ଜୁନ ୨୦୨୩ ପର୍ଯ୍ୟନ୍ତ ଯେଉଁମାନେ ଆବେଦନ କରିଥିବେ, ସେମାନଙ୍କ ଆବେଦନକୁ ଗ୍ରହଣ କରାଯିବ। ଯେଉଁ ଶିଳ୍ପ ଏହି ସମୟ ପରେ ଆବେଦନ କରିଛନ୍ତି, ସେମାନଙ୍କ ଆବେଦନକୁ ଅନୁଧ୍ୟାନ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବା ସହ ଆବେଦନକୁ ଗ୍ରହଣ କରାଯିବ ଏବଂ ପ୍ରୋତ୍ସାହନ ଦିଆଯିବ।

ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରସ୍ତାବିତ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଧେୟକ, ୨୦୨୪କୁ ପାରିତ କରାଯାଇଛି। ଆଗାମୀ ବିଧାନସଭାରେ ଏହା ଉପସ୍ଥାପନ ହେବ। ଏହି ସଂଶୋଧନର ଉଦ୍ଦେଶ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସମ୍ମୁଖୀନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା କରିବା ସହିତ ନିଯୁକ୍ତି ପ୍ରକ୍ରିୟାରେ ଉନ୍ନତି ଆଣିବା, ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅଧିକ ସ୍ୱୟଂଶାସିତତା ସହିତ ସଶକ୍ତ କରିବା। ଏହା ସହ କୁଳପତି ଚୟନରେ ଶିକ୍ଷାବିତଙ୍କ ଭୂମିକାକୁ ପ୍ରାଧାନ୍ୟ ଦିଆଯିବ। ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ କୁଳପତିଙ୍କ କ୍ଷମତା ବଢ଼ାଇବା ପାଇଁ ପ୍ରସ୍ତାବ ରଖାଯାଇଛି।