ଭୁବନେଶ୍ୱର, ୨୩/୧୧: ଚଳିତ ଶୀତକାଳୀନ ଅଧିବେଶନରେ ଗରମାଗରମ ରହିବ ଗୃହ। ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିବ ବିରୋଧୀ ଦଳ। ଏ ନେଇ ବିରୋଧୀ ଦଳ ରଣନୀତି ପ୍ରସ୍ତୁତ କରି ସାରିଛି ବୋଲି କହିଛନ୍ତି ନୟାଗଡ଼ର ବିଜେଡ଼ି ବିଧାୟକ ଅରୁଣ ସାହୁ। ଜନସାଧାରଣଙ୍କ ଶକ୍ତିଶାଳୀ ସ୍ୱର ହୋଇ ଗୃହରେ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିବ ବିଜେଡି। ଆଗାମୀ ଦିନରେ ଦଳର ଆଭିମୁଖ୍ୟ କ’ଣ ରହିବ ସେ ନେଇ ନିଷ୍ପତ୍ତି ନେବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ।
ଓଡ଼ିଶା ପକ୍ଷରୁ କେନ୍ଦ୍ର ସରକାରଙ୍କ ପାଖରେ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିବା ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ପ୍ରତ୍ୟେକ ପ୍ରସଙ୍ଗରେ ଶାସକ ଦଳକୁ ଘେରିବ ବିଜେଡ଼ି। ଏଥର ବିରୋଧୀ ଦଳ ପାଖରେ ବହୁ ପ୍ରସଙ୍ଗ ରହିଛି। ବର୍ତ୍ତମାନର ସବୁଠୁ ବଡ଼ ପ୍ରସଙ୍ଗ ହେଉଛି ଆମ୍ବ ଟାକୁଆ ଖାଇ ତିନି ଜଣଙ୍କ ମୃତ୍ୟୁ ହେବା। ଏହି ପ୍ରସଙ୍ଗକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ସରଗରମ ରହିଛି। ସେହିପରି ସଠିକ୍ ସମୟରେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୂକ୍ତ ଥିବା ହିତାଧିକାରୀଙ୍କୁ ରାସନ୍ ଚାଉଳ ଯୋଗାଇ ନ ପାରିବା ସହ ସରକାର ଏଇ ମାସରୁ ଚାଉଳ ସହ ଗହମ ଯୋଗାଇବାକୁ କହିଥିବା ବେଳେ ଜାନୁୟାରୀ ମାସରେ ଦେବା ପାଇଁ ଘୋଷଣା କରିଛି। ଯାହା ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ।
ସେହିଭଳି କୁଚିଣ୍ଡାରେ ଗୋଟିଏ ଦଳିତ ଝିଅକୁ ମନ୍ତ୍ରୀଙ୍କ ନିକଟତର ଲୋକଙ୍କ ଦ୍ୱାରା ଗଣ ବଳତ୍କାର ମାମଲା, ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ସହିତ ଜାତିଆଣ ଆକ୍ଷେପ କରିବା ଏବଂ ଟିଟିଲାଗଡ଼ ବିଧାୟକଙ୍କ ବିରୋଧରେ ଏକ ଦଳିତ ମହିଳାଙ୍କୁ ଅତ୍ୟାଚାର ଭଳି ଅନେକ ମାମଲା ରହିଛି। ଅନ୍ୟପଟେ କଟକରେ ଜଣେ ଯୁବତୀଙ୍କୁ ଏକ ବାରରେ ଗଣ ବଳାତ୍କାର ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏସବୁ ପ୍ରସଙ୍ଗ ସହ ଭରତପୁର ଥାନା ଘଟଣା ଓ ରାଜ୍ୟରେ ପ୍ରତିଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବା ଭଳି ଘଟଣା ସାରା ରାଜ୍ୟରେ ଜନସାଧାରଣଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ୱାକଫ ବିଲକୁ ବିରୋଧ କରିବା ସହ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଘରୋଇକରଣ ପ୍ରସଙ୍ଗକୁ ମଧ୍ୟ ବିରୋଧ କରିବ ବିଜେଡି। ଏହିଭଳି ଅନେକ ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିବ ବିରୋଧୀ ଦଳ।
ସୂଚନାଯୋଗ୍ୟ, ଆସନ୍ତା ୨୬ ତାରିଖରେ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି। ଏ ନେଇ ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ। ପୂର୍ବାହ୍ନ ସାଢେ ୧୦ଟାରେ ବସିବ ଏହି ସର୍ବଦଳୀୟ ବୈଠକ। ଚଳିତ ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ରୁ ଡିସେମ୍ବର ୩୧ ଯାଏଁ ଚାଲିବ। ଚଳିତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଥିବା ବେଳେ ପ୍ରଥମ ଦିନ ହିଁ ବଜେଟ ଉପସ୍ଥାପନ ହେବ।