ଜାନୁଆରୀ ୩୧ ସୁଦ୍ଧା ସରିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା

ପୁରୀ, ୨୪/୧୧: ଆସନ୍ତା ଜାନୁଆରୀ ୩୧ ତାରିଖ ସୁଦ୍ଧା ଶେଷ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ଗଣତିମଣତି କାର୍ଯ୍ୟ। ଏଣୁ ଖୁବଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବାର ଆଶା ରଖାଯାଇଛି। ଏହା ପରେ ଶ୍ରୀଜିଉଙ୍କ ଅଳଙ୍କାର ଓ ଗହଣାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଜନସମାଗମ ହେତୁ ଏଏସଆଇ ଦ୍ୱାରା ଏହା ଆରମ୍ଭ ହୋଇ ପାରିନଥିଲା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଏଏସଆଇକୁ ଅନୁମତି ମିଳି ସାରିଛି। ବର୍ତ୍ତମାନ ଏହି କାର୍ଯ୍ୟ‌ ଆରମ୍ଭ ହେବ। ମରାମତି କାର୍ଯ୍ୟ ସରିବା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମରୁ ଗହଣା କାଢି ରତ୍ନଭଣ୍ଡାରରେ ରଖାଯିବ। ଏହା ପରେ ସୁରକ୍ଷିତ ଭାବେ ଗଣତିମଣତି କରାଯିବ। ଏଏସଆଇର ଜିପିଏସ ରିପୋର୍ଟ ଅନୁସାରେ, ଶ୍ରୀମନ୍ଦିର ଭିତରେ କୌଣସି ସୁଡ଼ଙ୍ଗ ଏବଂ ଧାତୁ ସମ୍ବନ୍ଧୀୟ ସାମଗ୍ରୀ ନାହିଁ ବୋଲି ସୂଚନା ମିଳିଛି।