ଗୁଗୁଲ ମ୍ୟାପ ହେଲା କାଳ

ବାଟ ଦେଖାଇଲା ଅଧା ଗଢ଼ା ପୋଲ, ନେଲା ୩ ଜୀବନ

ନୂଆଦିଲ୍ଲୀ, ୨୫/୧୧: ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ଗୁଗୁଲ ମ୍ୟାପ ଉପରେ ଭରସା କରି ଅକାଳରେ ଚାଲି ଯାଇଛି ୩ ଜୀବନ। ଗୁଗୁଲ୍ ମ୍ୟାପ୍ ଦ୍ୱାରା ନିର୍ଦ୍ଦେଶିତ ଭୁଲ ବାଟରେ ଯାଇ ନିର୍ମାଣାଧୀନ ପୋଲରୁ ଓଲଟି ଏକ କାରଟି ରାମଗଙ୍ଗା ନଦୀକୁ ଖସି ପଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଛି।

ବିବେକ, ଅମିତ ଓ ଅନ୍ୟ ଜଣେ ବ୍ୟକ୍ତି ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଗୁରୁଗ୍ରାମରୁ ବରେଲି ଯାଉଥିଲେ। ନେଭିଗେସନ୍ ପାଇଁ ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କରି ସେମାନେ ଗାଡ଼ି ଅଜାଣତରେ ଏକ ଅଧ ନିର୍ମିତ ଫ୍ଲାଏଓଭର ନିକଟରେ ପହଞ୍ଚି ଯାଇଥିଲେ। ନିର୍ମାଣାଧୀନ ପୋଲ ବିଷୟରେ ଜାଣି ନ ପାରି ୫୦ ଫୁଟ ତଳକୁ ନଦୀରେ ଖସି ପଡ଼ିଥିଲା।

ଏହି ଘଟଣାଟି ଶନିବାର ଦିନ ଘଟିଥିବା ବେଳେ ରବିବାର ସକାଳେ ସ୍ଥାନୀୟ ଲୋକେ କାରର ଭଗ୍ନାବଶେଷ ଓ ମୃତଦେହକୁ ନଦୀ କୂଳରେ ଦେଖିବା ପରେ ଏହି ଅଘଟଣ ସାମ୍ନାକୁ ଆସିଥିଲା। ସଙ୍ଗେ ସଙ୍ଗେ କର୍ତ୍ତୃପକ୍ଷଙ୍କୁ ଖବର ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ବରେଲିର ଜଣେ ପୁଲିସ ମୁଖପାତ୍ର କହିଛନ୍ତି, ସକାଳ ପ୍ରାୟ ସାଢ଼େ ୯ଟା ବେଳେ ରାମଗଙ୍ଗା ନଦୀରେ ଏକ କ୍ଷତିଗ୍ରସ୍ତ କାର୍ ମିଳିଥିବା ଖବର ମିଳିଥିଲା। ମୃତକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବିବେକ ଓ ଅମିତ ନାମକ ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତୃତୀୟ ଜଣଙ୍କ ପରିଚୟ ମିଳି ପାରିନାହିଁ।

ତେବେ ମୃତକଙ୍କ ପରିବାର ଲୋକେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସମାଲୋଚନା କରିବା ସହ ପ୍ରଶାସନର ଅବହେଳା ଯୋଗୁଁ ୩ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି।