ଇତିହାସ ରଚିଲେ ବିହାରର ବୈଭବ ସୂର୍ଯ୍ୟବଂଶୀ

ବୈଭବ ସୂର୍ଯ୍ୟବଂଶୀଙ୍କୁ ୧.୧୦ କୋଟି ଟଙ୍କାରେ କିଣିଲା ରାଜସ୍ଥାନ ରୟାଲ୍ସ।

ମାତ୍ର ୧୩ ବର୍ଷ ବୟସରେ ରେକର୍ଡ କଲେ, ବନିଲେ କୋଟିପତି

ନୂଆଦିଲ୍ଲୀ, ୨୬/୧୧: ତୁମେ ୧୩ ବର୍ଷ ବୟସରେ କ’ଣ କରୁଥିଲ?” ଆଇପିଏଲ୍ ମେଗା ନିଲାମରେ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ବୈଭବ ସୂର୍ଯ୍ୟବଂଶୀଙ୍କୁ ୧.୧୦ କୋଟିରେ କିଣିବା ପରେ ଏହି ପ୍ରଶ୍ନ ଏବେ ଏକ୍ସରେ ଟ୍ରେଣ୍ଡ ହେବାରେ ଲାଗିଛି। ମାତ୍ର ୧୩ ବର୍ଷ ବୟସରେ ଇତିହାସ ସୃଷ୍ଟି କରିଛନ୍ତି ବିହାରର ବୈଭବ ସୂର୍ଯ୍ୟବଂଶୀ। ଏ ବୟସରେ ସେ ହୋଇଛନ୍ତି କୋଟିପତି। ସର୍ବକନିଷ୍ଠ ଖେଳାଳି ଭାବେ ଆଇପିଏଲ୍ ରେକର୍ଡ ବୁକରେ ସାମିଲ ହୋଇଛନ୍ତି।

ଆଇପିଏଲ୍ ନିୟମ ଅନୁଯାୟୀ ୩ ବର୍ଷର ଚୁକ୍ତି ସୁନିଶ୍ଚିତ ହୋଇଥିବାରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବା ପୂର୍ବରୁ ସୂର୍ଯ୍ୟବଂଶୀ ଆୟ କରିବେ ୩.୩୦ କୋଟି ଟଙ୍କା।

ଯେତେବେଳେ ୨୦୧୧ରେ ଭାରତ ବିଶ୍ୱକପ ଜିତିଥିଲା, ସେତେବେଳେ ବୈଭବ ମାତ୍ର ଏକ ସପ୍ତାହର ହୋଇଥିଲେ। ୧୨ ବର୍ଷ ବୟସରେ ରଣଜୀ ଟ୍ରଫି ଖେଳିଥିଲେ ବୈଭବ। ଆଉ ଏବେ ରାହୁଲ ଦ୍ରାବିଡ଼ଙ୍କ ଟିମ୍ ରେ ଖେଳିବେ।

ଆର୍ଥିକ ଚାପ ସତ୍ତ୍ୱେ ତାଙ୍କ ବାପା ନିୟମିତ ଭାବେ ତାଙ୍କୁ କ୍ରିକେଟ୍ ଟ୍ରେନିଂ ସେସନ୍ ପାଇଁ ୧୫ କିଲୋମିଟର ଦୂରତା ଅତିକ୍ରମ କରି ସମସ୍ତିପୁର ନେଉଥିଲେ। ଏପରିକି ବୈଭବଙ୍କ ଭବିଷ୍ୟତ ପାଇଁ ସେ ତାଙ୍କ ଚାଷ ଜମି ମଧ୍ୟ ବିକ୍ରି କରିଦେଇଥିଲେ। ଯୁବ କ୍ରିକେଟରଙ୍କ ପ୍ରେରଣା ସାଜିଛନ୍ତି ବୈଭବ। ମାତ୍ର ୧୩ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରଙ୍କ ସହ ଖେଳିବା ପାଇଁ ସୌଭାଗ୍ୟ ପାଇବେ।