୩ ବର୍ଷରେ ୧୨୫ କୋଟି ଲୁଟିଲେଣି ସାଇବର ଠକ: ଗୃହରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା
୨୦୨୧ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ ସାଇବର ଅପରାଧରେ ୧୨୫ କୋଟି ଟଙ୍କା ହରାଇଲାଣି ଓଡ଼ିଶା।
ଆଦାୟ ହୋଇଛି ମାତ୍ର ୨.୫୨ କୋଟି ଟଙ୍କା
ଭୁବନେଶ୍ୱର, ୦୨/୧୨: ୨୦୨୧ରୁ ୨୦୨୩ ମଧ୍ୟରେ ତିନି ବର୍ଷ ମଧ୍ୟରେ ଓଡ଼ିଶାରେ ୧୨୫ କୋଟି ଟଙ୍କା ଲୁଟିଲେଣି ସାଇବର ଅପରାଧୀ। ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୃହରେ କହିଥିଲେ ଯେ ୨୦୨୧ରୁ ୨୦୨୩ ମଧ୍ୟରେ ରାଜ୍ୟରେ ସାଇବର ଠକେଇ ଯୋଗୁଁ ଲୋକମାନେ ୧୨୫ କୋଟି ୬୩ ଲକ୍ଷ ୧୭ ହଜାର ୬୭୪ ଟଙ୍କା ହରାଇଛନ୍ତି। ସାଇବର ଠକମାନେ ୨୦୨୧ରେ ୪୦ କୋଟି ୩୯ ଲକ୍ଷ ୭୦ ହଜାର ୫୧୪ ଟଙ୍କା, ୨୦୨୨ରେ ୩୭ କୋଟି ୨୮ ଲକ୍ଷ ୯୬ ହଜାର ୯୮୨ ଟଙ୍କା ଏବଂ ୨୦୨୩ରେ ୪୭ କୋଟି ୯୪ ଲକ୍ଷ ୫୦ ହଜାର ୧୭୮ ଟଙ୍କା ଲୁଟି ନେଇଛନ୍ତି।
ଏଥିମଧ୍ୟରୁ ମାତ୍ର ୨ କୋଟି ୫୨ ଲକ୍ଷ ଟଙ୍କା ଆଦାୟ ହୋଇପାରିଛି। ୨୦୨୧ରେ ୨୭ ଲକ୍ଷ ୫୬ ହଜାର ୧୩୮ ଟଙ୍କା, ୨୦୨୨ରେ ୯୭ ଲକ୍ଷ ୩୦ ହଜାର ୫୮୨ ଟଙ୍କା ଓ ୨୦୨୩ରେ ୧ କୋଟି ୫୨ ଲକ୍ଷ ୫୯ ହଜାର ୯୬୫ ଟଙ୍କା ଅର୍ଥହାନି ହୋଇଥିବା ଲୋକଙ୍କୁ ଫେରସ୍ତ କରିଛି ପୋଲିସ।
ଗତ ୩ ବର୍ଷମଧ୍ୟରେ ୬୩୬୮ ସାଇବର ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ୧୩୮୮ ସାଇବର ଅପରାଧୀଙ୍କୁ ଗିରଫ କରାଯାଇଛି। ୨୦୨୧ରେ ୨୦୩୭ ମାମଲା ରୁଜୁ ହୋଇଥିବା ବେଳେ ୨୦୨୨ରେ ୧୯୮୩ ଓ ୨୦୨୩ରେ ୨୩୪୮ ମାମଲା ରୁଜୁ ହୋଇଥିଲା। ଏଥିରେ ୨୦୨୧ରେ ୪୨୫ ଜଣ ଗିରଫ ହୋଇଥିବା ବେଳେ ୨୦୨୨ରେ ୪୪୧ ଓ ୨୦୨୩ରେ ୫୨୨ ଜଣ ଗିରଫ ହୋଇଛନ୍ତି।