ବିଧାନସଭା ପ୍ରଶ୍ନକାଳ: ଦୁର୍ନୀତି ବିରୋଧରେ ମୋହନ ସରକାରଙ୍କ ଜିରୋ ଟଲେରାନ୍ସ ନୀତି
୫ ମାସରେ ୯୦ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୦୨/୧୨: ଦୁର୍ନୀତି ବିରୋଧରେ କଡ଼ା ଆକ୍ସନ ନେଉଛନ୍ତି ମୋହନ ସରକାର। ମୁଖ୍ୟମନ୍ତ୍ରୀ କ୍ଷମତାକୁ ଆସିବା ପରେ ୫ ମାସ ମଧ୍ୟରେ ୯୦ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ରୁଜୁ ହୋଇଛି ଭିଜିଲାନ୍ସ ମାମଲା। ବିଜେଡ଼ି ବିଧାୟକ ପ୍ରତାପ କେଶରୀ ଦେବ ପ୍ରଶ୍ନ କରିଥିଲେ ଯେ, ସରକାରକୁ ଆସିବାର ୫ ମାସ ମଧ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ବିରୋଧରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଶୂନ୍ୟକାଳରେ ଏହାର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଲ୍ଲେଖ କରିଛନ୍ତି, ରାଜସ୍ୱ ବିଭାଗର ସର୍ବାଧିକ ୨୦ ଜଣ ଅଧିକାରୀ ରହିଥିବା ବେଳେ ପଞ୍ଚାୟତିରାଜ ବିଭାଗର ୧୮ ଜଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗୃହ ବିଭାଗ ଅଧିନରେ ଥିବା ୯ ଜଣ ଅଧିକାରୀ, ସମବାୟ ବିଭାଗରେ ୫ ଜଣ ଅଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୪ ଜଣ ଅଧିକାରୀ, ଖାଦ୍ୟ ଯୋଗାଣ ବିଭାଗର ୨ ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତ ଜୁନ ମାସରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠୁ ଦୁର୍ନୀତିଖୋରଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତ ୫ ମାସ ମଧ୍ୟରେ ୯୦ ଜଣ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଛି।