ଭୁବନେଶ୍ୱର, ୦୨/୧୨: ଆସନ୍ତାକାଲିଠୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ମୁର୍ମୁ ମଙ୍ଗଳବାର ସନ୍ଧ୍ୟା ୫ଟାରେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସିଧାସଳଖ ନିଳାଦ୍ରୀ ବିହାର ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନୂତନ ପ୍ରତିମୂର୍ତ୍ତିକୁ ଉଦଘାଟନ କରିବେ। ଭୁବନେଶ୍ୱର ସ୍ଥିତ ରାଜଭବନରେ ରାତ୍ରିଯାପନ କରିବା ପରେ ବୁଧବାର ଡିସେମ୍ବର ୪ ତାରିଖ ସକାଳ ୯.୪୫ରେ ପୁରୀ ତାଳବଣିଆ ସ୍ଥିତ ହେଲିପ୍ୟାଡରେ ପହଞ୍ଚିବେ। ୧୦ଟା ୧୫ରୁ ୧୦ଟା ୪୦ ମଧ୍ୟରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ। ଏହାପରେ ଅପରାହ୍ନ ୩ଟା ୫୫ରେ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ନୌସେନା ଦିବସ ଅପରେସନ ପ୍ରଦର୍ଶନରେ ଯୋଗଦେବେ।
ଡିସେମ୍ବର ୫ ତାରିଖରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୪୦ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ରାଷ୍ଟ୍ରପତି। ସେହିଦିନ ସେ ଭୁବନେଶ୍ୱରରେ ନୂଆ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସକୁ ଉଦଘାଟନ କରିବେ। ଡିସେମ୍ବର ୬ ତାରିଖରେ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବେ। ସେଦିନ ରହି ଡିସେମ୍ବର ୭ ତାରିଖ ଦିନ ୧୨ଟା ୩୫ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ରାଷ୍ଟ୍ରପତି ଶେଷ ଥର ପାଇଁ ଚଳିତ ବର୍ଷ ଜୁଲାଇରେ ଓଡ଼ିଶା ଗସ୍ତରେ ଆସିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କାରକେଡ ରିହର୍ସଲ କରାଯାଇଛି।
ସୂଚନାଯୋଗ୍ୟ, ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ ପୂର୍ବରୁ ପୁରୀରେ ଭାରତୀୟ ନୌସେନା ପକ୍ଷରୁ ସମନ୍ୱିତ ଜାହାଜ, ହେଲିକପ୍ଟର, ଲଢୁଆ ବିମାନ, ପାଟ୍ରୋଲିଂ ଏୟାରକ୍ରାଫ୍ଟ ମକ୍ ରେସ୍କ୍ୟୁର ରୋମାଞ୍ଚକର ପ୍ରଦର୍ଶନ ଜାରି ରହିଛି। ଭାରତର ସର୍ବବୃହତ ଜାହାଜ ଆଇଏନଏସ ଜଲାଶ୍ୱା, ଟ୍ୟାଙ୍କର ଆଇଏନଏସ ଶକ୍ତି, କ୍ଷେପଣାସ୍ତ୍ର ବିନାଶକାରୀ ଆଇଏନଏସ ରଣବୀର ଏବଂ ଷ୍ଟିଲ୍ଥ ଫ୍ରିଗେଟ୍ ଆଇଏନଏସ ସତପୁରା ସମେତ ୧୫ଟି ଜାହାଜ, ୪୦ରୁ ଅଧିକ ବିମାନ, ବୁଡ଼ାଜାହାଜ ଏବଂ ସାମୁଦ୍ରିକ କମାଣ୍ଡୋଙ୍କ ସମେତ ଭାରତୀୟ ସେନାର କର୍ମଚାରୀ ଏହି ପ୍ରଦର୍ଶନରେ ଅଂଶଗ୍ରହଣ କରିବେ।