୨୦୨୬ ଶେଷ ସୁଦ୍ଧା ଲଞ୍ଚ ହେବ ଗଗନଯାନ ମିଶନ

ମହାକାଶକୁ ମାନବ ପଠାଇବାରେ ଭାରତ ହେବ ଚତୁର୍ଥ ଦେଶ

ନୂଆଦିଲ୍ଲୀ, ୦୨/୧୨: ଦେଶର ପ୍ରଥମ ମହାକାଶଯାତ୍ରା କାର୍ଯ୍ୟକ୍ରମ ଗଗନଯାନ ମିଶନ ୨୦୨୬ ଶେଷ ସୁଦ୍ଧା ଉତକ୍ଷେପଣ ହେବାର ସମ୍ଭାବନା ରହିଛି। ଗଗନଯାନ ପ୍ରୋଜେକ୍ଟରେ ତିନି ଦିନିଆ ଅଭିଯାନ ପାଇଁ ମହାକାଶଚାରୀମାନଙ୍କୁ ପୃଥିବୀଠାରୁ ୪୦୦ କିଲୋମିଟର ଉଚ୍ଚ କକ୍ଷପଥକୁ ପଠାଇ ଭାରତର ମାନବ ମହାକାଶ ଯାତ୍ରା କ୍ଷମତା ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ସମୁଦ୍ରରେ ଅବତରଣ କରି ସେମାନଙ୍କୁ ସୁରକ୍ଷିତ ଭାବେ ପୃଥିବୀକୁ ଫେରାଇ ଅଣାଯିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି।

ଗୌହାଟୀ ଆଇଆଇଟିରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଶ୍ରୀ ସୋମନାଥ ଗଣମାଧ୍ୟମକୁ କହିଛନ୍ତି, ଆମେ ଗତ ୪ ବର୍ଷ ଧରି ଗଗନଯାନ ପ୍ରକଳ୍ପ ଉପରେ କାମ କରୁଛୁ। ଆମର ରକେଟ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ଆସନ୍ତା ବର୍ଷ ଉତକ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଛି। ଆମେ ଚଳିତ ବର୍ଷ ଡିସେମ୍ବରରେ ଏହା କରିବାକୁ ଚାହୁଁଥିଲୁ କିନ୍ତୁ ବୈଷୟିକ ଅସୁବିଧା କାରଣରୁ ଏହା ସମ୍ଭବ ହୋଇ ପାରିନାହିଁ। ୨୦୨୬ ଶେଷ ଆଡ଼କୁ ଲଞ୍ଚ ପୂର୍ବରୁ ଆଉ ତିନୋଟି ଉତକ୍ଷେପଣ କରାଯିବ। ପ୍ରଥମେ ରକେଟରେ ବ୍ୟୋମମିତ୍ର ନାମକ ଏକ ରୋବଟର ଉତକ୍ଷେପଣ କରାଯିବ। ଆସନ୍ତା ବର୍ଷ ପ୍ରାରମ୍ଭରେ ଏହାର ଉତକ୍ଷେପଣ ହେବ। ତା’ପରେ ସମାନ ଧରଣର ଆଉ ଦୁଇଟି ଉତକ୍ଷେପଣ ହେବ। ତିନୋଟି ଯାକ ଉତକ୍ଷେପଣ ସଫଳ ହେବା ପରେ, ଆମର କ୍ରୁଡ୍ ମିଶନ ହେବ। ସମସ୍ତ ମହାକାଶଚାରୀ ପ୍ରସ୍ତୁତ ଅଛନ୍ତି। ୨୦୨୬ ଶେଷ ସୁଦ୍ଧା ଗଗନଯାନ ଉତକ୍ଷେପଣ କରିବାକୁ ଲକ୍ଷ୍ୟ ରଖିଛୁ। ୯୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସ୍ୱଦେଶୀ ମହାକାଶ ପ୍ରୋଜେକ୍ଟ ଯଦି ସଫଳ ହୁଏ, ତେବେ ସୋଭିଏତ ୟୁନିୟନ, ଆମେରିକା ଏବଂ ଚୀନ୍ ପରେ ମହାକାଶକୁ ମାନବ ପଠାଇବାରେ ଭାରତ ଚତୁର୍ଥ ଦେଶ ହେବ।