ପୁରୀ ବ୍ଲ୍ୟୁ ଫ୍ଲାଗ ବିଚରୁ ସାରା ବିଶ୍ୱ ଦେଖିଲା ଭାରତୀୟ ନୌବୀରଙ୍କ ପରାକ୍ରମ

ନୌସେଳା ଦିବସ ଅବସରରେ ନୌସେନା ସମରକଳାର ଉଦଘାଟନ କଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ।

ମାର୍କୋସ କମାଣ୍ଡୋଙ୍କ ରେସ୍କ୍ୟୁ ଅପରେସନ ଦେଖି ଦର୍ଶକ ବିମୋହିତ

ପୁରୀ, ୦୪/୧୨: ନୌସେନା ଦିବସ ଅବସରରେ ଓଡ଼ିଶାରେ ପ୍ରଥମ ଥର ପାଇଁ ନୌସେନା ଦିବସ ପାଳିତ ହେଲା। ପୁରୀ ବ୍ଲ୍ୟୁ ଫ୍ଲାଗ ବିଚରେ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୌସେନା ପକ୍ଷରୁ ସମରକଳା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଡେମୋ ଉଦଘାଟନ କରିଥିଲେ।

ନୌସେନା ତରଫରୁ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ନୌସେନା ମୁଖ୍ୟ ଆଡମିରାଲ ଦିନେଶ କୁମାର ତ୍ରିପାଠୀ ରାଷ୍ଟ୍ରପତିଙ୍କୁ ସ୍ବାଗତ କରି ଅଭିବାଦନ ସହ ମଞ୍ଚକୁ ପାଛୋଟି ନେଇଥିଲେ। ଏହା ପରେ ଜାତୀୟ ସଙ୍ଗୀତ ଗାନ ସହ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା ଅପରେସନାଲ ଡେମୋନଷ୍ଟ୍ରେସନ।

ଯୁଦ୍ଧ କୌଶଳ ଦେଖାଇଥିଲା ଭାରତୀୟ ନୌସେନା। ନୌବୀରଙ୍କ ପରାକ୍ରମ ଦେଖିଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ପୁରୀ ବ୍ଲ୍ୟୁ ଫ୍ଲାଗ ବିଚରୁ ସାରା ବିଶ୍ୱ ଏହି ମାରିନ କମାଣ୍ଡୋଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ଦେଖିଲା। ମାରିନ କମାଣ୍ଡୋଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ଦେଖିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା, ବିଭିନ୍ନ ମନ୍ତ୍ରୀ ଓ‌ କେନ୍ଦ୍ରମନ୍ତ୍ରୀ, ବିଧାୟକଗଣ ଏବଂ ପୁରୀ ରାଜା ଦିବ୍ୟସିଂହ ଦେବଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷ।

ଏହି ସମରକଳାରେ ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ ଓ ଗୋଟିଏ ବୁଡା ଜାହାଜ ସାମିଲ ହୋଇଥିଲା। ଜଳଭାଗରେ ବମ୍‌ ବ୍ରଷ୍ଟ ମାନୁଏଭର, ବ୍ୟାନର ଫର୍ମେସନରରେ ଚେତକ, ବୁଡ଼ାଜାହାଜର କଳାପ୍ରଦର୍ଶନ ଓ ଆକାଶମାର୍ଗରେ ନୌବୀରମାନଙ୍କର ଚିତ୍ତାକର୍ଷକ ପ୍ରଦର୍ଶନ ଦେଖିଲେ ସାରା ବିଶ୍ୱବାସୀ। ଭାରତୀୟ ନୌସେନା ଜଲସା, ମିଶାଇଲ୍ ଡେଷ୍ଟ୍ରୋୟର ଆଇଏନ୍ଏସ୍ ଦିଲ୍ଲୀ, ଆଇଏନ୍ଏସ୍ ଶକ୍ତି, ଆଇଏନ୍ଏସ୍ ସରାୟୁ, ଆଇଏନ୍ଏସ୍ ଆରିହଣ୍ଟ, ଆଇଏନ୍ଏସ୍ ସାତପୁରା ସହ ହକ୍, ସି-କିଙ୍ଗ, ମିଗ୍-୨୯ କେ‌ ଭଳି ଫାଇଟର ଜେଟ୍ ଓ ଚେତକ, ଏମ୍ଏସ୍-୬୦ ହେଲିକପ୍ଟର ନୌସେନାର ପରାକ୍ରମ ଦେଖାଇଛନ୍ତି। ଚଳିତ ନୌସେନା ଦିବସର ଥିମ୍ ହେଉଛି ଉଦ୍ଭାବନ ଓ ସ୍ୱଦେଶୀକରଣ ଦ୍ୱାରା ଶକ୍ତି ଓ ସାମର୍ଥ୍ୟ‌।

ପରାକ୍ରମ ବେଳେ ଆତଙ୍କବାଦୀଙ୍କ ଦ୍ୱାରା ଗୋଟିଏ ବନ୍ଧକ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର ବେଳର ଦୃଶ୍ୟର ଡେମୋ ପ୍ରଦର୍ଶିତ ହୋଇଥିଲା। ମାର୍କୋସ କମାଣ୍ଡୋ‌ ଦ୍ୱାରା ଆତଙ୍କୀ ମୁକାବିଲା ସହ ରେସକ୍ୟୁ ଅପରେସନର ବଳିଷ୍ଠ ପ୍ରଦର୍ଶନ ହୋଇଥିଲା। ଯାହା ଦର୍ଶକଙ୍କୁ ଅତ୍ୟନ୍ତ ବିମୋହିତ କରିଥିଲା। ଏହି ପରାକ୍ରମ ଦେଖିବା ପାଇଁ ପୁରୀ ବେଳାଭୂମିରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଦର୍ଶକ ଥିବାର ପରିଲକ୍ଷିତ ହୋଇଥିଲା।

ନୌସେନା ଦ୍ୱାରା ନିମ୍ନଲିଖିତ ସମରକଳା:-

ଭାରତର ଏଲାଇଟ ମେରାଇନ କମାଣ୍ଡୋ: ମାର୍କୋସ ଡେମୋ; ନାଭାଲ କମାଣ୍ଡୋଙ୍କ ନେତୃତ୍ବରେ ଭାରତୀୟ ସଶସ୍ତ୍ର ସେନାର ୩ ବାହିନୀର ମିଳିତ ଅପରେସନ: ଆମ୍ଫିବିୟସ ଡେମୋ; ଶତ୍ରୁ ସୀମାରେ ଶତ୍ରୁକୁ ଚକମା ଦେବା ଲାଗି ସ୍ଥଳ ଭାଗ ନିକଟରେ ପାରାଚ୍ୟୁଟ ଦ୍ୱାରା କମାଣ୍ଡୋ ଅବତରଣ କରୁଥିବା: କମ୍ବାଟ ଫ୍ରି ଫଲ; ଯୁଦ୍ଧ ଜାହାଜରେ ହେଲିକପ୍ଟର ଅବତରଣ କୌଶଳ ପ୍ରଦର୍ଶନ: ହେଲୋ ଲ୍ୟାଣ୍ଡିଂ ଡେମୋ; ଚେତକ ହେଲିକପ୍ଟର ଦ୍ୱାରା ଉଭୟ ଜଳ ଓ ସ୍ଥଳରେ ଲଜିଷ୍ଟିକ ସହାୟତା ଓ ସର୍ଚ୍ଚ, ରେସ୍କ୍ୟୁ ଏବଂ ମେଡିକାଲ ଇଭାକୁଏସନ କରୁଥିବା: ଆଞ୍ଜେଲ ଡେମୋ; ବିପନ୍ନଙ୍କୁ ଠାବ ଓ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଉଭୟ ଜଳ ଓ ସ୍ଥଳରେ ନିୟୋଜିତ ହେଉଥିବା ନୌସେନା ଦ୍ୱାରା ପ୍ରଦର୍ଶିତ: ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଡେମୋ; ଆଣ୍ଟି ସବମେରାଇନ ୱାରଫେୟାର ପାଇଁ ସମର୍ଥ ଥିବା ହେଲିକପ୍ଟର ସର୍ଚ୍ଚ, ରେସ୍କ୍ୟୁ ଓ ମେଡ଼ିକାଲ ଇଭାକୁଏସନ ପ୍ରଦର୍ଶିତ: ଏମ୍ ଏଚ୍ ଫ୍ଲେୟାର ଫାୟାରିଂ; ହକ ଆଡଭାନ୍ସଡ ଜେଟ ଟ୍ରେନର ଏୟାରକ୍ରାଫ୍ଟ ଫାଇଟର ପାଇଲଟଙ୍କୁ ବେସିକ ଓ ଆଡଭାନ୍ସ ଟ୍ରେନିଂ ଦିଆଯାଉଥିବା: ହକ ଡେମୋ; ଆଣ୍ଟି ସିପିଂ ଓ ଲ୍ୟାଣ୍ଡ ଆଟାକ ପାଇଁ ସକ୍ଷମ: ମିଗ-୨୯ କେ ଡେମୋ; ଶତ୍ରୁର ବୁଡା ଜାହାଜକୁ ଧ୍ୱଂସ କରୁଥିବା: ଆଣ୍ଟି ସବମେରାଇନ ରକେଟ ଫାୟାରିଂ, ସନ୍ଧ୍ୟା ପରେ ଯୁଦ୍ଧ ସମାପ୍ତି ଘୋଷଣା ପରମ୍ପରା ଯାହାର ଶୁଣିବା ମାତ୍ରେ ସେନା ଯୁଦ୍ଧଭୂମି ଛାଡ଼ି ବିଶ୍ରାମ କରୁଥିଲେ: ବିଟିଂ ରିଟ୍ରିଟ; ନୌସେନାର କର୍ତ୍ତବ୍ୟ, ସମ୍ମାନ ଓ ସାହସକୁ ସୂଚାଇ ପ୍ରଦର୍ଶିତ ହେଉଥିବା ଡ୍ରିଲ, ବାଦ୍ୟଯନ୍ତ୍ର ଓ ଧ୍ୱଜାବତରଣ ଯାହା ଭାରତୀୟ ନୌସେନାର ସନ୍ଧ୍ୟାକାଳୀନ ପରମ୍ପରା: ସେରିମନିଆଲ ସନସେଟ।