ସାଂସଦଙ୍କ ସିଟରୁ ମିଳିଲା ୫୦୦ ଟଙ୍କିଆ ବିଡ଼ା

ଗୃହ ମୁଲତବୀ ପରେ ସୁରକ୍ଷା ଅଧିକାରୀମାନେ ୨୨୨ ନମ୍ବର ସିଟରୁ ବଣ୍ଡଲ ନୋଟ୍ ଜବତ କରିଥିଲେ ବୋଲି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ କହିଛନ୍ତି।

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୦୬/୧୨: ରାଜ୍ୟସଭାରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭିଙ୍କ ସିଟରୁ ମିଳିଲା ୫୦୦ ଟଙ୍କିଆ ନୋଟ‌ ବିଡ଼ା। ନିୟମିତ ଯାଞ୍ଚ ବେଳେ ସିକ୍ୟୁରିଟି ଏହି ନୋଟ‌ ବିଡ଼ା ଜବତ କରିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ନିଜେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏହା ପରେ ଗୃହରେ ପ୍ରବଳ ହଙ୍ଗାମା ଦେଖାଦେଇଛି।

ଧନଖଡ ଗୃହରେ ସମସ୍ତ ସୂଚନା ଦେଇ କହିଛନ୍ତି, “ଗତକାଲି ଗୃହ ମୁଲତବୀ ହେବା ପରେ ଚ୍ୟାମ୍ବରର ନିୟମିତ ଯାଞ୍ଚ କରିବା ସମୟରେ ସୁରକ୍ଷା ଅଧିକାରୀମାନେ ୨୨୨ ନମ୍ବର ସିଟରୁ ବଣ୍ଡଲ ନୋଟ୍ ଜବତ କରିଥିଲେ। ଯେଉଁ ସିଟ୍ ବର୍ତ୍ତମାନ ତେଲେଙ୍ଗାନାରୁ ନିର୍ବାଚିତ ଅଭିଷେକ ମନୁ ସିଂଘଭିଙ୍କୁ ଆବଣ୍ଟନ କରାଯାଇଛି। ଏହି ମାମଲା ମୋ ନଜରକୁ ଆସିବା ପରେ ଏହାକୁ ତଦନ୍ତ ପରିସରଭୁକ୍ତକୁ ଅଣାଯାଇଛି।

ରାଜ୍ୟସଭା ଅଧ୍ୟକ୍ଷଙ୍କ ଏହି ଦାବି ଉପରେ ପ୍ରତିକ୍ରିୟା ପ୍ରକାଶ କରି ସାଂସଦ ସିଂଘଭି କହିଛନ୍ତି ଯେ, ମୁଁ ଏ ପର୍ଯ୍ୟନ୍ତ ଏ ବିଷୟରେ କେବେ ବି ଶୁଣିନଥିଲି। ରାଜ୍ୟସଭାକୁ ଯିବା ବେଳେ ମୋ ପାଖରେ ଗୋଟିଏ ୫୦୦ ଟଙ୍କିଆ ନୋଟ୍ ଥିଲା। ମୁଁ ପ୍ରଥମ ଥର ପାଇଁ ଏ ବିଷୟରେ ଶୁଣିଥିଲି। ମୁଁ ଗତ କାଲି ଅପରାହ୍ନ ୧୨ଟା ୫୭ରେ ଗୃହ ଭିତରେ ପହଞ୍ଚିଥିଲି ଏବଂ ଅପରାହ୍ନ ୧.୦୦ରେ ଚାଲିଯାଇଥିଲି। ଅପରାହ୍ନ ୧ଟାରୁ ସାଢ଼େ ୧ଟା ପର୍ଯ୍ୟନ୍ତ ଅଯୋଧ୍ୟା ପ୍ରସାଦଙ୍କ ସହ କ୍ୟାଣ୍ଟିନରେ ବସି ମଧ୍ୟାହ୍ନ ଭୋଜନ କରିଥିଲି। ଅପରାହ୍ନ ୧ଟା ୩୦ରେ ସଂସଦରୁ ବାହାରିଥିଲି। ତେଣୁ ଗତକାଲି ଗୃହରେ ମୋର ସମୁଦାୟ ରହଣି ୩ ମିନିଟ୍ ଥିଲା ଏବଂ କ୍ୟାଣ୍ଟିନରେ ମୋର ରହଣି ୩୦ ମିନିଟ୍ ଥିଲା। ଏଭଳି ପ୍ରସଙ୍ଗକୁ ନେଇ ମଧ୍ୟ ରାଜନୀତି କରିବା ମୋତେ ଅଜବ ଲାଗୁଛି ବୋଲି ସିଂଘଭି କହିଛନ୍ତି।

କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ନାମ ନିଆଯିବା ଉଚିତ ନୁହେଁ।