ଆସନ୍ତା ମାର୍ଚ୍ଚରେ ହେବ ୭୩ତମ ସର୍ବଭାରତୀୟ ହକି ଚାମ୍ପିୟନଶିପ୍-୨୦୨୫

ଡିଜିପି ଖୁରାନିଆଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି‌ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, ୦୯/୧୨: ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ୭୩ତମ ସର୍ବଭାରତୀୟ ହକି ଚାମ୍ପିୟନଶିପ୍-୨୦୨୫। ଏଥିରେ ଦେଶର ୨୭ଟି ପୁରୁଷ ଓ ୧୦ଟି ମହିଳା ଦଳ ଅଂଶଗ୍ରହଣ କରିବେ। ଏ ନେଇ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଡିଜିପି କ୍ୟାମ୍ପ ଅଫିସରେ ଏହି କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଚାମ୍ପିୟନସିପରେ ଅନେକ ଅନ୍ତର୍ଜାତୀୟ ଖେଳାଳି, ଭିଭିଆଇପିଙ୍କ ସହ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କଳିଙ୍ଗ ଷ୍ଟାଡିୟମ, ପୋଖରୀପୁଟ ଓ କିଟ୍ କ୍ୟାମ୍ପସ ପଡ଼ିଆରେ ଅଭ୍ୟାସ ପାଇଁ ଆୟୋଜନ କରାଯିବା ସହ ଏହି ସବୁ ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ।

ଚାମ୍ପିୟନସିପ୍ ଉଦଘାଟନୀ ଓ ଉଦଯାପନୀ ସହ ଖେଳାଳିଙ୍କ ରହିବା, ନିୟମିତ ଅଭ୍ୟାସ କରିବା, ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିବା କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ଏହି ବୈଠକରେ ବିଭିନ୍ନ ଅଫିସରମାନେ ଯୋଗ ଦେଇଥିଲେ।