ଗୃହରେ ଉଠିଲା ସାମ୍ବାଦିକଙ୍କ ସହ ସ୍ୱାର୍ଥ ସମ୍ବଳିତ ଦାବି

ସାମ୍ବାଦିକ ସୁରକ୍ଷା ଆଇନ ଆଣନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର, ୧୧/୧୨: ବିଧାନସଭାର ଶୀତକାଳୀନ ଅଧିବେସନ ଚାଲିଥିବା ବେଳେ ଆଜି ଶୂନ୍ୟକାଳରେ ସାମ୍ବାଦିକଙ୍କ ସ୍ୱାର୍ଥ ସମ୍ଇତ ଦାବି‌ କରିଛନ୍ତି ବିରୋଧୀ ଦଳ। ବିଜେଡ଼ି ବିଧାୟକ ଗୌତମ ବୁଦ୍ଧ ଦାସ ଏ ନେଇ ରାଜ୍ୟ ସରକାରଙ୍କ ନିକଟରେ ସ୍ୱତନ୍ତ୍ର ଦାବି ଉପସ୍ଥାପନା କରିଛନ୍ତି। ଗଣମାଧ୍ୟମରେ ସୂଚନା ଦେଇ ଶ୍ରୀ ଦାସ କହିଛନ୍ତି, ସାମ୍ବାଦିକ ମାନଙ୍କର ବହୁ ସମସ୍ୟା ରହିଛି। ପୂର୍ବ ବିଜେଡ଼ି ସରକାର ସମୟରେ ସାମ୍ବାଦିକମାନଙ୍କ ପାଇଁ କରାଯାଇଥିବା ଏକ ସ୍ୱାସ୍ଥ୍ୟ ବୀମା ଯୋଜନା ଆରମ୍ଭ କରାଯାଇଥିଲା ଏବଂ କାର୍ଯ୍ୟକାରୀ ମଧ୍ୟ‌ କରାଯାଇଥିଲା। ସ୍ୱାସ୍ଥ୍ୟ ବୀମା ପ୍ରଥମେ ୨ ଲକ୍ଷ ଟଙ୍କା ଥିବା ବେଳେ ପରବର୍ତ୍ତୀ ସମୟରେ ତାହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। କିନ୍ତୁ ସାମ୍ବାଦିକମାନଙ୍କ ଦାବି ଅନୁସାରେ ସେମାନଙ୍କ ପିତାମାତାଙ୍କୁ ମଧ୍ୟ ସେଥିରେ ବୀମାଭୁକ୍ତ କରାଯାଉ। ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କ ସହ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ମଧ୍ୟ‌ ସେକ୍ରେଟେରିଏଟ ଯିବା ପାଇଁ ଅନୁମତି ଦିଆଯାଉ। ଏହା ସହ ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଏକ ସୁରକ୍ଷା ଆଇନ୍ ଅଣାଯାଉ ଏବଂ ପ୍ରେସ ଏକାଡେମୀ ଗଠନ କରାଯାଉ। ଏହା ସହିତ ସାମ୍ବାଦିକମାନଙ୍କ ପାଇଁ ଏକ କମିଟି ଗଠନ କରି ପେନସନ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଛନ୍ତି।