ଟ୍ରମ୍ପଙ୍କ କ୍ୟାବିନେଟରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବ
ଆମେରିକାର ଆସିଷ୍ଟାଣ୍ଟ ଆଟର୍ଣ୍ଣି ଜେନେରାଲ ଭାବେ ଭାରତୀୟ-ଆମେରିକୀୟ ହରମିତ୍ ଧିଲୋନଙ୍କୁ ମନୋନୀତ କଲେ ଟ୍ରମ୍ପ
ଆମେରିକାରେ ବଢ଼ୁଛି ଭାରତୀୟଙ୍କ ପତିଆରା
ନୂଆଦିଲ୍ଲୀ, ୧୧/୧୨: ଆମେରିକାରେ ବଢ଼ୁଛି ଭାରତୀୟଙ୍କ ଦବଦବା। ଜୋ ବାଇଡେନଙ୍କ ପରେ ଏବେ ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟରେ ମଧ୍ୟ ଭାରତୀୟ ବଂଶୋଦ୍ଭବଙ୍କୁ ମିଳୁଛି ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଭାରତୀୟ-ଆମେରିକୀୟ ଆଇନଜୀବୀ ହରମିତ୍ କେ ଧିଲନଙ୍କୁ ନ୍ୟାୟ ବିଭାଗର ନାଗରିକ ଅଧିକାର ବିଭାଗର ସହକାରୀ ଆଟର୍ଣ୍ଣି ଜେନେରାଲ ଭାବେ ନିଯୁକ୍ତ କରିଛନ୍ତି। ଡାକ୍ତର ଜୟ ଭଟ୍ଟାଚାର୍ଯ୍ୟ (ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ), ବିବେକ ରାମାସ୍ୱାମୀ (ସରକାରୀ ଦକ୍ଷତା ବିଭାଗ) ଏବଂ କଶ୍ୟପ ‘କାଶ’ ପଟେଲ (ଏଫ୍ ବିଆଇର ନିର୍ଦ୍ଦେଶକ) ପରେ ଧିଲନ୍ ହେଉଛନ୍ତି ଚତୁର୍ଥ ଭାରତୀୟ-ଆମେରିକୀୟ ଯିଏ ଟ୍ରମ୍ପ ୨.୦ କ୍ୟାବିନେଟରେ ମନୋନୀତ ହୋଇଛନ୍ତି।
ଏକ ବିବୃତିରେ ଧିଲନ୍ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇବା ସହ ଆମେରିକାର ନାଗରିକ ଅଧିକାର ଏଜେଣ୍ଡାରେ ସେ ସହଯୋଗ କରିବେ ବୋଲି କହିଛନ୍ତି।
ଭାରତର ଚଣ୍ଡିଗଡ଼ରେ ଜନ୍ମିତ ୫୪ ବର୍ଷୀୟ ଧିଲନ୍ ନିଜ ପିତାମାତାଙ୍କ ସହ ପିଲାଦିନେ ଆମେରିକା ଚାଲି ଯାଇଥିଲେ। ୨୦୧୬ରେ ସେ କ୍ଲିଭଲ୍ୟାଣ୍ଡରେ ଗପ୍ କନଭେନସନ୍ ମଞ୍ଚରେ ପ୍ରଥମ ଭାରତୀୟ-ଆମେରିକୀୟ ଭାବେ ଯୋଗ ଦେଇଥିଲେ। ଗତ ବର୍ଷ ସେ ରିପବ୍ଲିକାନ୍ ନ୍ୟାସନାଲ କମିଟିର ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ବିଫଳ ହୋଇଥିଲେ।