ନୂଆଦିଲ୍ଲୀ, ୧୨/୧୨’ ଲୋକସଭା ଓ ରାଜ୍ୟ ନିର୍ବାଚନ ଏକାସାଙ୍ଗରେ କରିବା ପାଇଁ କେନ୍ଦ୍ର କ୍ୟାବିନେଟ୍ ଗୁରୁବାର ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବିଲକୁ ଅନୁମୋଦନ କରିଛି। ସଂସଦର ଚଳିତ ଶୀତକାଳୀନ ଅଧିବେଶନରେ ଏହି ବିଲ୍ ଆଗତ ହେବାର ସମ୍ଭାବନା ରହିଛି।
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିସକୁ ସରକାର ଗ୍ରହଣ କରିଥିଲେ। କୋବିନ୍ଦଙ୍କ ନେତୃତ୍ବାଧୀନ ପ୍ୟାନେଲ୍ ୧୮,୬୨୬ ପୃଷ୍ଠାର ରିପୋର୍ଟରେ ନିର୍ବାଚନକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଥମେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପରାମର୍ଶ ଦେଇଥିବା ବେଳେ ପରେ ଏହା ସହିତ ସ୍ଥାନୀୟ ସଂସ୍ଥା ଏବଂ ପୌରପାଳିକା ନିର୍ବାଚନକୁ ସମନ୍ୱିତ କରିବା ପାଇଁ ସୁପାରିସ କରିଥିଲେ।
ସରକାର ଏହି ବିଲକୁ ସହମତି ପ୍ରକାଶ ପାଇଁ ଏକ ଯୁଗ୍ମ ସଂସଦୀୟ କମିଟିକୁ ପଠାଯିବ। ଏହାବ୍ୟତୀତ ବୁଦ୍ଧିଜୀବୀ, ବିଶେଷଜ୍ଞ ଓ ସାଧାରଣ ଜନସାଧାରଣଙ୍କ ସମେତ ସମସ୍ତ ରାଜ୍ୟ ବିଧାନସଭାର ବାଚସ୍ପତିମାନଙ୍କ ମତାମତ ନିଆଯିବ। ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ କରାଇବା ବିଜେପି ତା’ର ଲୋକସଭା ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରିଥିଲା।
ତେବେ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବ୍ୟବସ୍ଥା ଲାଗୁ ହେଲେ ଦେଶକୁ ବହୁ କ୍ଷତି ସହିବାକୁ ପଡ଼ିବ। ଗୋଟିଏ ଦିନରେ ସାରା ଦେଶରେ ନିର୍ବାଚନ ହେଲେ ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହେବ।