‘ଭାରତ ଗଣତନ୍ତ୍ରର ଜନନୀ’
ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଉପରେ ବିତର୍କର ଦ୍ୱିତୀୟ ଦିନରେ ସଂସଦରେ ସମ୍ବୋଧନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଦେଶର ପ୍ରଗତିରେ ମହିଳାଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, ୧୪/୧୨: ଭାରତ ଗଣତନ୍ତ୍ରର ଜନନୀ। ସମ୍ବିଧାନ ହେଉଛି ଦେଶର ଏକତାର ମୂଳଦୁଆ। ସମ୍ବିଧାନ ଗ୍ରହଣର ୭୫ ବର୍ଷ ପୂର୍ତ୍ତି ଉପରେ ବିତର୍କର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ସମ୍ବୋଧିତ କରି କହିଥିଲେ, ସମ୍ବିଧାନ ଗ୍ରହଣ ପରଠାରୁ ଭାରତ ‘ଅସାଧାରଣ’ ଭାବେ ପ୍ରଗତି ପଥେ ଆଗେଇ ଚାଲିଛି। ଦେଶର ପ୍ରାଚୀନ ଗଣତାନ୍ତ୍ରିକ ମୂଳ ବିଶ୍ୱ ପାଇଁ ପ୍ରେରଣା ପାଲଟିଛି। ଭାରତ କେବଳ ଏକ ବଡ଼ ଗଣତନ୍ତ୍ର ନୁହେଁ, ଏହା ଗଣତନ୍ତ୍ରର ଜନନୀ।
୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ଏକତା ହେଉଛି ମୂଳଦୁଆ। ସମ୍ବିଧାନ ହିଁ ଆମର ଏକତାର ଆଧାର ବୋଲି କହିବା ସହ ସମ୍ବିଧାନର ନିର୍ମାତା ପୁରୁଷୋତ୍ତମ ଦାସ ଟଣ୍ଡନ ଏବଂ ଭୀମ ରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଥିଲେ ଯେ, ଧାରା ୩୭୦ ଦେଶର ଏକତାରେ ବାଧକ। ଏହି କାରଣରୁ ଆମ ସରକାର ଏହାକୁ କବର ଦେଇଛନ୍ତି। ଦେଶର ପ୍ରଗତିରେ ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ସମ୍ବିଧାନ ମହିଳାଙ୍କୁ ମତଦାନ ଅଧିକାର ପ୍ରଦାନ କରିଛି। ଦେଶରେ ଏବେ ମହିଳାଙ୍କ ନେତୃତ୍ବାଧୀନ ବିକାଶ ଦେଖିବାକୁ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।