ଜିଅନ୍ତା କୁକୁଡ଼ା ଗିଳି ଦେଲେ ବ୍ୟକ୍ତି
ଛତିଶଗଡ଼ର ଅମ୍ବିକାପୁରରେ ଜଣେ ବ୍ୟକ୍ତି ୨୦ ସେମିର ଏକ ଜିଅନ୍ତା କୁକୁଡ଼ାକୁ ଗିଳି ଦେଇଥିବାର ଖବର ସାମ୍ନାକୁ ଆସିଛି।
ମଣିଷ ମୃତ କୁକୁଡ଼ା ଜୀବିତ
ଛତିଶଗଡ଼, ୧୬/୧୨: ଅନ୍ଧବିଶ୍ୱାସର ପରିଣାମ କେତେ ଯେ ଭୟଙ୍କର ତା’ର ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି ଛତିଶଗଡ଼ରେ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ମୃତ୍ୟୁମୁଖରେ ମଧ୍ୟ ପଡ଼ିପାରେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ର ଅମ୍ବିକାପୁରରେ।
ଅମ୍ବିକାପୁରରେ ସନ୍ତାନ ପ୍ରାପ୍ତି ପାଇଁ ଜଣେ ୩୫ ବର୍ଷୀୟ ବ୍ୟକ୍ତି ତନ୍ତ୍ର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ଏକ ଜୀବନ୍ତ କୁକୁଡ଼ାକୁ ଗିଳି ଦେବା ପରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବାର ଘଟଣା ସାମନାକୁ ଆସିଛି। ଏହି ଘଟଣା ପରେ ଚାରିଆଡ଼େ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଘଟଣା ପରେ ଶବ ବ୍ୟବଚ୍ଛେଦ ବେଳେ ମୃତ ବ୍ୟକ୍ତିଙ୍କ ଗଳାରେ ଡାକ୍ତରମାନେ ଏକ ଜୀବିତ କୁକୁଡ଼ା ଛୁଆକୁ ଦେଖିଥିଲେ।
ମିଳିଥିବା ସୂଚନା ମୁତାବକ, ଛିନ୍ଦକାଲୋ ଗ୍ରାମର ଆନନ୍ଦ ଯାଦବ ନାମକ ଜଣେ ବ୍ୟକ୍ତି ହଠାତ୍ ଅଚେତ୍ ହୋଇ ପଡ଼ିଯିବାରୁ ତାଙ୍କୁ ଅମ୍ବିକାପୁର ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଡାକ୍ତରମାନେ ଶବ ବ୍ୟବଚ୍ଛେଦ କରିବା ପରେ ମଧ୍ୟ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିଲା। ତେବେ ତାଙ୍କ ଗଳା ନିକଟରେ କିଛି ଥିବା ସନ୍ଦେହ କରି କାଟିବା ପରେ ସେଠାରେ ଏକ ଜୀବିତ କୁକୁଡ଼ା ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହି କୁକୁଡ଼ା ଟିର ଲମ୍ବ ପ୍ରାୟ ୨୦ ସେମି ହେବ। ଏତେ ଲମ୍ବର ଏକ କୁକୁଡ଼ା ଛୁଆକୁ ଗିଳିବା ଦ୍ୱାରା ଶ୍ୱାସରୁଦ୍ଧ ହୋଇ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁବରଣ ହୋଇଥିବା ଡାକ୍ତର କହିଛନ୍ତି।
ତେବେ ଆନନ୍ଦ ସନ୍ତାନ ହୀନ ଥିବାରୁ ସେ କିଛି ଦିନର ହେବ କୌଣସି ତାନ୍ତ୍ରିକ ସଂସ୍ପର୍ଶରେ ଆସି ତାଙ୍କ କଥାରେ ପ୍ରରୋଚିତ ହୋଇ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏଭଳି କାମ କରି ଥାଇ ପାରନ୍ତି ବୋଲି ଗ୍ରାମବାସୀ ଅନୁମାନ କରିଛନ୍ତି। ଘଟଣା ସମ୍ପର୍କରେ ସ୍ଥାନୀୟ ପୁଲିସକୁ ଅବଗତ କରାଯିବା ପରେ ଅଧିକ ତଦନ୍ତ ଜାରି ରହିଛି।