ନୂଆଦିଲ୍ଲୀ, ୧୭/୧୨: ଆନ୍ଧ୍ରପ୍ରଦେଶର ପୋଲାଭରମ ଜଳସେଚନ ପ୍ରକଳ୍ପକୁ ଖୁବ ଶୀଘ୍ର ଶେଷ ହେବ। ୨୦୨୬ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି।
ଏଲୁରୁ ଜିଲ୍ଲାର ପ୍ରକଳ୍ପ ସ୍ଥଳରେ ସମୀକ୍ଷା କରି କହିଥିଲେ ଯେ, ୨୦୨୬ ଅକ୍ଟୋବର ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ଏକ ପରଫର୍ମାନ୍ସ ଇଣ୍ଡିକେଟର (କେପିଆଇ) ପ୍ରତିଷ୍ଠା କରାଯିବ। ଅନାକାପଲ୍ଲୀ ପର୍ଯ୍ୟନ୍ତ ବାମ କେନାଲ ନିର୍ମାଣ ପାଇଁ ଟେଣ୍ଡର ଡକାଯାଇଛି ଏବଂ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ ହୋଇସାରିଛି। ୧୬,୪୪୦ ଏକର ଜମି ଅଧିଗ୍ରହଣ ଏକ ପ୍ରମୁଖ କାର୍ଯ୍ୟ ହୋଇଥିବା ବେଳେ ୨୦୨୬ ସୁଦ୍ଧା ଥଇଥାନ ଓ ପୁନର୍ବାସ କାର୍ଯ୍ୟକୁ ଚୂଡ଼ାନ୍ତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ସେ ଦାବି କରିଛନ୍ତି ଯେ ପୂର୍ବ ଟିଡିପି ଶାସନ ସମୟରେ ପୋଲାଭରମ ପ୍ରକଳ୍ପର ୭୧ ପ୍ରତିଶତ ସିଭିଲ କାମ ଶେଷ ହୋଇଥିବା ବେଳେ ୱାଇଏସଆର କଂଗ୍ରେସ ପାର୍ଟି ସରକାର ମାତ୍ର ୪ ପ୍ରତିଶତ ଆଗେଇ ନେଇଥିଲେ। ପୋଲାଭରମ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୨୮ ଲକ୍ଷ ଲୋକଙ୍କୁ ପାନୀୟ ଜଳ ଯୋଗାଣ, ୯୬୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ଏବଂ ୭ ଲକ୍ଷ ଏକରରୁ ଅଧିକ ଜମିକୁ ଜଳସେଚନ କରାଯିବା ସହ ୨୩ ଲକ୍ଷ ଏକର ଜମି ପାଇଁ ଜଳ ଯୋଗାଣ ସ୍ଥିର ହେବ। ଆନ୍ଧ୍ରପ୍ରଦେଶର ଲାଇଫ ଲାଇନ କୁହାଯାଉଥିବା ପୋଲାଭରମ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ହେବାକୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିଛି। କିନ୍ତୁ ତାଙ୍କ ସରକାର ସମୟରେ ଏହା ନିଶ୍ଚୟ ପୂରଣ ହେବ ବୋଲି ସେ କହିଛନ୍ତି।
ଏହି ପ୍ରକଳ୍ପକୁ ଓଡ଼ିଶା ବିରୋଧ କରୁଥିବା ବେଳେ ନାଇଡୁଙ୍କ ଘୋଷଣା ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ। ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲ (ଜିଡବ୍ଲୁଡିଟି)ର ସୁପାରିଶ କ୍ରମେ ୧୯୮୦ ମସିହାରେ ଗୋଦାବରୀ ନଦୀ ଉପରେ ନିର୍ମାଣ ହୋଇଥିବା ଏହି ଆନ୍ତଃରାଜ୍ୟ ପ୍ରକଳ୍ପରେ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ଓଡ଼ିଶା ୧୫୦ ଫୁଟର ସମ୍ପୂର୍ଣ୍ଣ ଜଳଭଣ୍ଡାର ସ୍ତର ଏବଂ ୩୬ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ କ୍ଷମତା ବିଶିଷ୍ଟ ଏହି ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରୀ ଦେବା ପାଇଁ ଚୁକ୍ତି କରିଥିଲେ। ତେବେ ଜଳ ନିଷ୍କାସନ କ୍ଷମତା ୩୬ ଲକ୍ଷ କ୍ୟୁସେକ ପରିବର୍ତ୍ତେ ୫୦ ଲକ୍ଷ କ୍ୟୁସେକକୁ ବୃଦ୍ଧି କରାଯାଇଛି ବୋଲି ଓଡ଼ିଶାର ପୂର୍ବତନ ଶାସକ ଦଳ ତଥା ବର୍ତ୍ତମାନର ବିରୋଧୀ ଦଳ ବିଜେଡି ଅଭିଯୋଗ କରିଛି। ଦଳ ଦାବି କରିଛି ଯେ ଓଡ଼ିଶା ଓ ଛତିଶଗଡ଼ (ପୂର୍ବରୁ ମଧ୍ୟପ୍ରଦେଶର ଏକ ଅଂଶ) ଉପର ମୁଣ୍ଡରେ ଥିବା ବ୍ୟାକ୍ ୱାଟର ପ୍ରଭାବକୁ ଯଥେଷ୍ଟ ବିଚାର ନକରି ଏହା କରାଯାଇଛି। ଯାହା ଦ୍ୱାରା ମାଲକାନଗିରିର ସାଧାରଣ ଜନଜୀବନ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ପ୍ରକଳ୍ପ ଯୋଗୁଁ ମାଲକାନଗିରିର ପ୍ରାୟ ୧୬୨ଟି ଗାଁ ଜଳମଗ୍ନ ହେବାର ସମ୍ଭାବନା ରହିଛି।
ସେହିପରି ବନ୍ୟା ଜଳ ନିଷ୍କାସନ ହେଲେ ବ୍ୟାକୱାଟର ସ୍ତର ୧୭୪.୨୨ ଫୁଟକୁ ବୃଦ୍ଧି ପାଇବ। ଯାହା କି ପୂର୍ବରୁ ୧୫୦ ଫୁଟ ପର୍ଯ୍ୟନ୍ତ ବନ୍ୟା ଜଳ ନିଷ୍କାସିତ ହେବାର ଉଲ୍ଲେଖ ଥିଲା। ଅନ୍ୟପଟେ ୨୦୦୯ରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ଏଥିରୁ ୫୦ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ନିଷ୍କାସନ ହେଲେ ଓଡ଼ିଶାରେ ୨୧୬ ଫୁଟ ପର୍ଯ୍ୟନ୍ତ ଜଳମଗ୍ନ ହେବ। ଆଇଆଇଟି ରୁର୍କିର ୨୦୧୯ର ଅନ୍ୟ ଏକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଥିଲା ଯେ ଏଥିରୁ ୫୮ ଲକ୍ଷ କ୍ୟୁସେକ ବନ୍ୟା ଜଳ ନିଷ୍କାସନ ହେଲେ ଓଡ଼ିଶାରେ ୨୩୨.୨୮ ଫୁଟ ଜଳମଗ୍ନ ହେବ।
୨୦୦୭ରେ ବିଜେଡ଼ି ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଏହି ପ୍ରକଳ୍ପକୁ ବିରୋଧ କରି ଓଡ଼ିଶା ବ୍ୟତୀତ ୨୦୧୧ରେ ଛତିଶଗଡ଼ ଏବଂ ୨୦୧୯ରେ ତେଲେଙ୍ଗାନା ମଧ୍ୟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।