ଲୋକସଭାରେ ଆଗତ ହେଲା ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍

୩୨ ଦଳ ସମର୍ଥନ କରୁଥିବା ବେଳେ ୧୫ ଦଳ ପ୍ରତ୍ୟାହାର ପାଇଁ ଦାବି କରୁଛନ୍ତି।

ସପକ୍ଷରେ ୨୬୯ ଭୋଟ, ବିପକ୍ଷରେ ୧୯୮

ନୂଆଦିଲ୍ଲୀ, ୧୭/୧୨: ଆଜି ଲୋକସଭାରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଆଗତ ହୋଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ଵାଲଙ୍କ ଦ୍ୱାରା ଏହି ବିଲ୍ ଉପସ୍ଥାପିତ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ କରିବା ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଉପସ୍ଥାପିତ କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ କହିଛନ୍ତି ଯେ ସରକାର ଏକ ଦେଶ ଏକ ନିର୍ବାଚନ ବିଲକୁ ବିଚାର ବିମର୍ଶ ପାଇଁ ଏକ ଯୁଗ୍ମ ସଂସଦୀୟ କମିଟିକୁ ପଠାଇବାକୁ ପ୍ରସ୍ତୁତ ଅଛନ୍ତି। ଅନ୍ୟପଟେ ବିରୋଧୀ ଦଳ ଏହାକୁ ପ୍ରତ୍ୟାହାର କରିବା ପାଇଁ ଅଡି ବସିଛନ୍ତି।

ପ୍ରାରମ୍ଭିକ ପର୍ଯ୍ୟାୟ ଆଲୋଚନା ପରେ ଆଇନମନ୍ତ୍ରୀ ଲୋକସଭାରେ ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍, ୨୦୨୪ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ବିଲ୍ ୨୦୨୪ ଉପସ୍ଥାପିତ କରିବା ପରେ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଜଣ ସାଂସଦ ଭୋଟ ଦେଇଥିଲେ। ପ୍ରଥମେ ଏକକ ନିର୍ବାଚନ ବିଲକୁ କମ୍ ଭୋଟିଂ ହୋଇଥିବାରୁ ପୁନଃ ଭୋଟିଂ ପାଇଁ ଅନୁମତି ଦେଇଥିଲେ ବାଚସ୍ପତି। ଏହି ବିଲକୁ ବିଜେପି, ଟିଡିପି, ଜେଡିୟୁ, ଶିବସେନା ଓ ଏଲଜେପି ସମେତ ୩୨ ଦଳ ସମର୍ଥନ କରିଥିବା ବେଳେ କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି, ଶିବସେନା (ୟୁବିଟି) ସମେତ ୧୫ ଦଳ ବିରୋଧ କରିଛନ୍ତି।