ନୂଆଦିଲ୍ଲୀ, ୨୦/୧୨: ଯୁଗ୍ମ ସଂସଦୀୟ କମିଟିକୁ ଗଲା ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବିଲ୍। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଶୁକ୍ରବାର ଜେପିସିକୁ ଦୁଇଟି ବିଲ୍ ପଠାଇଛନ୍ତି। ଗତ ୧୭ରେ ସଂସଦରେ ଏ ନେଇ ବିତର୍କ ପରେ ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ବିଲ୍ ଲୋକସଭାରେ ଆଗତ ହୋଇଥିଲା। ୨୭ ଜଣ ଲୋକସଭା ଓ ୧୨ ଜଣ ରାଜ୍ୟସଭା ସାଂସଦଙ୍କୁ ନେଇ ଗଠିତ ଯୁଗ୍ମ ସଂସଦୀୟ କମିଟି ଏହି ବିଲକୁ ଯାଞ୍ଚ କରି ଲୋକସଭା ବାଚସ୍ପତିଙ୍କ ନିକଟକୁ ପଠାଇବ।
ଏହି ବିଲକୁ ବିରୋଧୀ ସାଂସଦମାନେ ତୀବ୍ର ବିରୋଧ କରିବା ସହ ଏହାକୁ ସମ୍ବିଧାନର ମୌଳିକ ଢାଞ୍ଚାର ଉଲ୍ଲଂଘନ ବୋଲି ଦର୍ଶାଇ ଏହାକୁ ଏକଛତ୍ରବାଦୀ ବୋଲି କହିଛନ୍ତି। କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ମନୀଷ ତିୱାରୀ ଏବଂ ତୃଣମୂଳ କଂଗ୍ରେସର କଲ୍ୟାଣ ବାନାର୍ଜୀ ଏବଂ ସକେତ ଗୋଖଲେ ଏହି କମିଟିରେ ବିରୋଧୀ ଦଳମାନଙ୍କ ମଧ୍ୟରେ ଥିବା ପ୍ରମୁଖ ଚେହେରାଙ୍କ ମଧ୍ୟରେ ଅଛନ୍ତି।