‘ହାଲା ମୋଦି’ରେ ପ୍ରଧାନମନ୍ତ୍ରୀ ମୋଦି
ଦୁଇ ଦିନିଆ କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
କୁଏତକୁ ‘ମିନି ହିନ୍ଦୁସ୍ତାନ’ ବୋଲି ବର୍ଣ୍ଣନା କଲେ ମୋଦି
ନୂଆଦିଲ୍ଲୀ, ୨୧/୧୨: ଦୁଇ ଦିନିଆ କୁଏତ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୁଏତରେ ପହଞ୍ଚିବା ପରେ ବହୁ ଆଡମ୍ବର ସହକାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୋଦିଙ୍କୁ ସ୍ୱାଗତ କରିଛନ୍ତି ପ୍ରବାସୀ ଭାରତୀୟ। ୪୩ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ କୁଏତ ଗସ୍ତ। କୁଏତ ଆମିର ମିଶାଲ ଅଲ-ଅହମ୍ମଦ ଅଲ-ଜବେର ଅଲ-ସବାଙ୍କ ନିମନ୍ତ୍ରଣ ରକ୍ଷା କରି ଏହି ଦେଶ ଗସ୍ତ କରିଛନ୍ତି ମୋଦି। ଏହି ଗସ୍ତ ସମୟରେ ପ୍ରତିରକ୍ଷା, ବ୍ୟବସାୟ ଓ ଅନ୍ୟ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ପ୍ରଧାନମନ୍ତ୍ରୀ ମୋଦି କୁଏତରେ ପହଞ୍ଚିବା ପରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ସହ ୧୦୧ ବର୍ଷୀୟ ପୂର୍ବତନ ଆଇଏଫଏସ ଅଫିସର ମଙ୍ଗଲ ସେନ ହାଣ୍ଡାଙ୍କୁ ଭେଟିଛନ୍ତି। କୁଏତ ସିଟିର ଶେଖ୍ ସାଦ୍ ଅଲ୍ ଅବଦୁଲ୍ଲା ଇନ୍ଡୋର ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ‘ହାଲା ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେଠାରେ ଅବସ୍ଥିତ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବା ସହ କୁଏତକୁ ‘ମିନି ହିନ୍ଦୁସ୍ତାନ’ ବୋଲି ବର୍ଣ୍ଣନା କରିଛନ୍ତି।
ମୋଦି କହିଛନ୍ତି, ମୁଁ ଏଠାକୁ ଆସିବା ପରେ ଭାରତର ପ୍ରତ୍ୟେକ କୋଣ ଅନୁକୋଣର ଲୋକଙ୍କୁ ଏଠାରେ ଦେଖୁଛି। ଯେପରି ‘ମିନି ହିନ୍ଦୁସ୍ତାନ’ ରେ ସମସ୍ତେ ଏକତ୍ରିତ ହୋଇଛନ୍ତି ବୋଲି ଲାଗୁଛି। ଭାରତ ଏବଂ କୁଏତ ମଧ୍ୟରେ ଐତିହାସିକ ସମ୍ପର୍କ ରହିଛି। ଉନବିଂଶ ଶତାବ୍ଦୀରେ ମଧ୍ୟ ଦୁଇ ଦେଶ ମଧ୍ୟରେ ସୁଦୃଢ଼ ବାଣିଜ୍ୟିକ ସମ୍ପର୍କ ଥିଲା। ଆଜି ବି ଗୁଜରାଟରେ କୁଏତର ବ୍ୟବସାୟୀଙ୍କୁ ନେଇ ଚର୍ଚ୍ଚା ହୁଏ। କୁଏତର ବ୍ୟବସାୟୀମାନେ କିପରି ଗୁଜରାଟୀ ଭାଷା ଶିଖିବା ସହ ଭାରତୀୟ ବଜାରରେ କୁଏତର ବିଶ୍ବପ୍ରସିଦ୍ଧ ମୋତି ବିକ୍ରି କରୁଥିଲେ, ତାହା ଅନନ୍ୟ। ଆପଣମାନଙ୍କୁ କୁଏତ ଆସିବା ପାଇଁ ୪ ଘଣ୍ଟା ସମୟ ଲାଗୁଛି। କିନ୍ତୁ ମୋତେ ଆସିବା ପାଇଁ ୪ ଦଶନ୍ଧି ସମୟ ଲାଗିଲା। ତେଣୁ ଆଜି ବ୍ୟକ୍ତିଗତ ଭାବେ ଏହି ମୁହୂର୍ତ୍ତ ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର।