ଚା’ ଖଟିର ଚର୍ଚ୍ଚାକୁ ଅଳଙ୍କାରଯୁକ୍ତ ଶବ୍ଦ ଲଗାଇ ବହି ଲେଖିଛନ୍ତି ରୁବେନ
ବିଜେଡ଼ିର ବରିଷ୍ଠ ନେତା ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ରୁବେନ ବାନାର୍ଜୀଙ୍କ ଦ୍ୱାରା ଲିଖିତ 'ନବୀନ ପଟ୍ଟନାୟକ' ପୁସ୍ତକ ପାଇଁ ଦୃଢ଼ ସମାଲୋଚନା କରିଛନ୍ତି।
‘ନବୀନ ପଟ୍ଟନାୟକ’ ପୁସ୍ତକ ପାଇଁ ରୁବେନଙ୍କୁ ପଶ୍ଚାତାପ କରିବା ଉଚିତ
ଭୁବନେଶ୍ୱର, ୨୩/୧୨: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକଙ୍କ ଜୀବନୀ ଉପରେ ବିଶିଷ୍ଟ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ଦ୍ୱାରା ଲିଖିତ ‘ନବୀନ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନ ହେବା ପରେ ସାମ୍ପ୍ରତିକ ପରିସ୍ଥିତିରେ ଉପୁଜିଥିବା ରାଜନୈତିକ ବିବାଦ ମଧ୍ୟରେ ମୁହଁ ଖୋଲିଛି ବିଜେଡ଼ି।
ବିଜେଡ଼ିର ବରିଷ୍ଠ ନେତା ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ରୁବେନ ବାନାର୍ଜୀ ବହୁ ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ନ ଭେଟି ମଧ୍ୟ ବିନା ସାକ୍ଷାତକାର ଓ ଆଲୋଚନାରେ ସେ ଏହି ପୁସ୍ତକ ଲେଖିଛନ୍ତି। ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଓଡ଼ିଶାର ବିରୋଧୀ ଦଳମାନଙ୍କ ଦ୍ୱାରା ହୋଇଥିବା ଚର୍ଚ୍ଚାକୁ କିଛି ଅଳଙ୍କାର ଯୁକ୍ତ ଶବ୍ଦ ସହିତ ସେ ଏହି ପୁସ୍ତକ ଲେଖିଛନ୍ତି। ଚା’ ଖଟିରେ, ଗୁଲି ଖଟିରେ, ରାସ୍ତାକଡରେ, ତାସ ଖେଳରେ ଯେଉଁ ଚର୍ଚ୍ଚା ହୋଇଛି, ସେ ତାହାକୁ ସଜାଇକି ଏକ ପୁସ୍ତକ ଲେଖିଛନ୍ତି। ଯେଉଁମାନେ ନବୀନ ପଟ୍ଟନାୟକଙ୍କୁ ବିରୋଧ କରନ୍ତି ସେ ସେହିମାନଙ୍କ ଠାରୁ ମତାମତ ନେଇଛନ୍ତି। ଏକପାଖିଆ କିଛି ବିରୋଧୀ ଦଳ ଗୁଡ଼ିକର ପ୍ରରୋଚନାରେ ପଡି ଏଭଳି ଲେଖା ଲେଖିବା ସମୀଚିନ ନୁହେଁ। ତେଣୁ ଏଭଳି ଲେଖା କେବେ ସ୍ପୃହଣୀୟ ନୁହେଁ କିମ୍ବା ଗ୍ରହଣୀୟ ନୁହେଁ। ସେ ସେଭଳି କୋୖଣସି ବିରାଟ କାମ କରିନାହାନ୍ତି। ତେଣୁ ତାଙ୍କର ଏଭଳି କାର୍ଯ୍ୟକୁ ଆମେ ନିନ୍ଦା କରିବା ସହିତ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରୁଛୁ। ଏଭଳି କାମ ପାଇଁ ତାଙ୍କୁ ପଶ୍ଚାତାପ କରିବା ଦରକାର ବୋଲି ଅରୁଣ କହିଛନ୍ତି।
ସୂଚନାଯୋଗ୍ୟ, ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ନବୀନ ପଟ୍ଟନାୟକଙ୍କ ଜୀବନୀ ଉପରେ ଏକ ପୁସ୍ତକ ଲେଖି ନିକଟରେ ତା’ର ଉନ୍ମୋଚନ କରିଥିଲେ। ଏହି ପୁସ୍ତକରେ ‘ଦ ପାଣ୍ଡିଆନ ପଜଲ’ ନାମକ ଶୀର୍ଷକ ଦେଇ ପାଣ୍ଡିଆନ କିପରି ରାଜ୍ୟ ଶାସନ ଭାର ନିଜ ଉପରକୁ ନେବାକୁ ଚେଷ୍ଟା କରୁଥିଲେ ଏବଂ ତାଙ୍କ ଆଧିପତ୍ୟ ବିସ୍ତାର କରି ଚାଲିଥିଲେ ସେ ବିଷୟରେ ଆଲୋକପାତ କରିଛନ୍ତି ରୁବେନ। ୨୦୨୪ରେ କିଭଳି ବିଜେଡ଼ି ଶୋଚନୀୟ ପରାଜୟର ସାମ୍ନା କରିଥିଲା ଏବଂ ତାର କାରଣ କ’ଣ ଥିଲା ସେ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡି ବିଜେପି ସହିତ ମେଣ୍ଟ କରିବା ପାଇଁ ପାଣ୍ଡିଆନ ବାରମ୍ବାର ଦିଲ୍ଲୀ ଗସ୍ତ କରୁଥିଲେ। କିନ୍ତୁ ରାଜ୍ୟ ବିଜେପି ନେତୃତ୍ଵ ମେଣ୍ଟ ଚାହୁଁନଥିବାରୁ ମେଣ୍ଟ ହୋଇ ପାରିନଥିଲା ବୋଲି ରୁବେନ ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୮ରେ ‘ନବୀନ ପଟ୍ଟନାୟକ’ ଶୀର୍ଷକରେ ଦ୍ବିତୀୟ ପୁସ୍ତକ ରଚନା କରିଥିଲେ। ଏହା ପୂର୍ବରୁ ୧୯୯୯ ମସିହାରେ ମହାବାତ୍ୟାର ବିପର୍ଯ୍ୟୟ ଉପରେ ‘ଦି ଓଡ଼ିଶା ସାଇକ୍ଲୋନ୍: ଏ ଇୟର ଅଫ୍ ଡିଜାଷ୍ଟର’ ନାମକ ଏକ ପୁସ୍ତକ ଲେଖିଥିଲେ।