‘କଥାରେ ଅଛି ଅଙ୍ଗୁର ନ ଖାଇ ପାରିଲେ ଖଟା’
ବାଲେଟ ପେପରକୁ ସମର୍ଥନ କଥା କହୁଥିବା ବିଜେଡି ହାରିଥିବା କାରଣରୁ ଦୁଃଖରେ ଅଛି ବୋଲି ଗଞ୍ଜାମ ଗାଙ୍ଗପୁରରେ ‘କାର୍ଯ୍ୟକର୍ତ୍ତା ସମ୍ମିଳନୀ’ରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ବିଜେଡି ଜିତୁଥିବା ବେଳେ ଇଭିଏମ ଠିକ୍ ଆଉ ଏବେ ହାରିବା ପରେ ଭୁଲ: ଧର୍ମେନ୍ଦ୍ର ପ୍ରଧାନ
ଗାଙ୍ଗପୁର, ୨୬/୧୨: କଥାରେ ଅଛି ଅଙ୍ଗୁର ନ ଖାଇ ପାରିଲେ ଖଟା । ବିଜେଡି ଜିତୁଥିବା ବେଳେ ଇଭିଏମ ଠିକ୍ ଆଉ ଏବେ ହାରିବା ପରେ ଭୁଲ । ଏଇଟା ହତାସର ଭାବନା, ନିର୍ବାଚନରେ ହାର ଜିତ୍ ଥାଏ ବୋଲି ଇଭିଏମ ନୁହେଁ ବାଲେଟ ପେପର ସମର୍ଥନରେ ବାହାରିଥିବା ବିଜେଡି ପ୍ରସଙ୍ଗରେ ଉତ୍ତର ରଖି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗଣମାଧ୍ୟର ଏ ସମ୍ପର୍କୀତ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଗଣତନ୍ତ୍ରକୁ ୭୫ ବର୍ଷ ହେଇଗଲା, ସବୁ ବେଳେ କଣ ସମସ୍ତେ ଜିତିବେ । ସେପରି ହେଲେ ତ ରାଜା ରାଜୁଡ଼ା ଶାସନ ଚାଲିବ । ଏକଛତ୍ରବାଦ ଶାସନ କାରଣରୁ ଲୋକେ ଏଥରେ ହରେଇଲେ । ହାରିଥିବା କାରଣରୁ ବିଜେଡି ଦୁଃଖରେ ଅଛି, ସେ ଦୁଃଖରୁ ବାହାରିବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆସ୍ଥା ପ୍ରକଟ କରି ଗଞ୍ଜାମର ଅଧିବାସୀମାନେ ଭୋଟ୍ ଦେଇଥିବାରୁ ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପିର ସରକାର ହୋଇଛି ।
ସେହିପରି ଗଞ୍ଜାମର ଗାଙ୍ଗପୁର ଠାରେ ଆୟୋଜିତ ‘କାର୍ଯ୍ୟକର୍ତ୍ତା ସମ୍ମିଳନୀ’ରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଗଞ୍ଜାମ ଜିଲ୍ଲା ହେଉଛି କୁଶଳୀ ଭୂମି । ଏଠାରୁ ଅନେକ ପରିଶ୍ରମୀ ଯୁବକ ଯୁବତୀମାନେ ବାହାରୁ ଯାଇ ଅନ୍ୟ ରାଜ୍ୟ ତଥା ଦେଶର ଅର୍ଥନୀତି ମଜଭୂତ୍ କରୁଛନ୍ତି । ଗଞ୍ଜାମ ହେଉଛି ଚଷାଚାଷୀର ଅଞ୍ଚଳ । ଏହି ଅଞ୍ଚଳର ବିକାଶ ତେବେ ସମ୍ଭବ ହେବ ଯେବେ ଏଠାକାର ଚାଷ ଏବଂ ଉଦ୍ୟମିତା ବ୍ୟାପକ ହେବ । କୁଶଳୀ ଯୁବକ ଯୁବତୀମାନଙ୍କ ପାଇଁ ଆଞ୍ଚଳିକ ସ୍ତରରେ ରୋଜଗାରର ସୁଯୋଗ ସୃଷ୍ଟି ହେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଓଡ଼ିଶା ସରକାରଙ୍କ ନେତୃତ୍ୱରେ ଅନେକ ଗୁଡିଏ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଜେପି ସରକାରର ସୁଭଦ୍ରା ଯୋଜନା ଓ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି ହେବା ଦ୍ୱାରା ଗଞ୍ଜାମ ଜିଲ୍ଲା ବିଶେଷତଃ ଲାଭବାନ ହୋଇଥିବା ବେଳେ ଏହି ଜିଲ୍ଲାର ଚାଷ ଓ ଶିଳ୍ପ ଆଧାରିତ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଡବଲ ଇଞ୍ଜିନ ସରକାର ପ୍ରତିଶ୍ରୁତିବଦ୍ଧ । ଗଞ୍ଜାମ ବିକଶିତ ହେଲେ ଓଡ଼ିଶା ବିକଶିତ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।