ବିଜେଡ଼ିର ଇନାକ୍ଟିଭ ବିଜେପି ପାଇଁ ହେଲା ଫାଇଦା
ଶଙ୍ଖ ଭବନରେ ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି।
ବିଜେଡ଼ିର ପରିଚୟ ଆଜିର ସମୃଦ୍ଧ ଓଡିଶା
ଭୁବନେଶ୍ୱର, ୨୬/୧୨: ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଶଙ୍ଖ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଅଭିଭାଷଣ ରଖି କହିଛନ୍ତି, ୧୯୯୭ ଡିସେମ୍ବର ୨୬ ତାରିଖରେ ବିଜେଡି ଦଳ ପ୍ରତିଷ୍ଠା ହୋଇଥିଲା। ବିଜୁ ବାବୁଙ୍କ ଆଦର୍ଶକୁ ସାଙ୍ଗରେ ନେଇ ବିଜୁ ପ୍ରେମୀମାନେ ଏକାଠି ହୋଇ ବିଜୁ ଜନତା ଦଳ ଗଠନ କରିଥିଲେ। କିନ୍ତୁ ସେତେବେଳେ ବହୁ ଲୋକ କହିଥିଲେ ଏ ଦଳ ବଞ୍ଚିବ ନାହିଁ। ଏ ଦଳ କେବେ ସଫଳ ହେବ ନାହିଁ । ଆଉ ମତେ କହିଥିଲେ ମୁଁ ରାଜନୀତି ଜାଣେ ନାହିଁ। କିନ୍ତୁ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁଁ ପାଞ୍ଚ ପାଞ୍ଚ ଥର ନିର୍ବାଚନ ଜିତି ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଛି। ମୁଁ ବ୍ୟକ୍ତିଗତ ଭାବେ ମଧ୍ୟ ଆପଣମାନଙ୍କ ସେବା କରିବାର ସୁଯୋଗ ପାଇଛି।
ଗତ ୨୪ବର୍ଷ ମଧ୍ୟରେ ବିଜେଡି ସରକାର ଓଡ଼ିଶାକୁ ଏକ ସମୃଦ୍ଧ ଓ ସଶକ୍ତ ରାଜ୍ୟର ପରିଚୟ ଦେଇପାରିଛି। ଅନ୍ୟ ରାଜ୍ୟର ଖାଦ୍ୟଶସ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଆଜି ବାହାର ରାଜ୍ୟକୁ ଖାଦ୍ୟ ପଠାଉଛି। ଓଡ଼ିଶାରେ ଗରିବୀ କମିଛି। ମୁଣ୍ଡ ପିଛା ଆୟ ବଢ଼ିଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ମଡେଲ ରାଜ୍ୟ ହୋଇ ପାରିଛି। ନିବେଶ ବଢିଛି। ମହିଳା ସଶକ୍ତିକରଣ ଓ ଅର୍ଥନୈତିକ ଅଭିବୃଦ୍ଧିରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ହୋଇପାରିଛି। ସାରା ବିଶ୍ବରେ ଓଡ଼ିଶା ସ୍ପୋର୍ଟସ କ୍ୟାପିଟାଲର ପରିଚୟ ପାଇପାରିଛି। ଓଡ଼ିଶାବାସୀଙ୍କ ଭଲପାଇବା ଓ କର୍ମୀ ଭାଇଭଉଣୀମାନଙ୍କ ପରିଶ୍ରମ ଯୋଗୁଁ ବିଜେଡି ଆଜି ଏକ ମଜବୁତ ଆଞ୍ଚଳିକ ଦଳ ଭାବେ ପ୍ରତିଷ୍ଠା ପାଇଛି।
ବହୁତ ଲୋକଙ୍କ ମନରେ ପ୍ରଶ୍ନ ଅଛି ଯେ, ଗତ ନିର୍ବାଚନରେ ବିଜେଡି କାହିଁକି ହାରିଲା? କିନ୍ତୁ ମୁଁ କହିବି ଆମେ ହାରିନାହୁଁ, କି ଲୋକଙ୍କ ବିଶ୍ୱାସ ମଧ୍ୟ ହରାଇ ନାହୁଁ। ବିଜେପି ମିଛ କଥା କହି ମିଛ ପ୍ରତିଶ୍ରୁତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ କ୍ଷମତାକୁ ଆସିଛି। ଏତେ ମିଛ କହି ମଧ୍ୟ ବିଜେପି ଆମଠାରୁ କମ୍ ଭୋଟ୍ ପାଇଛି। ଆମର ଭୁଲ ହେଲା, ଆମେ ବିଜେପିର ମିଛକୁ ଠିକ୍ ଭାବେ କାଉଣ୍ଟର କରିପାରିଲୁ ନାହିଁ। ସୋସିଆଲ ମିଡିଆରେ ସେମାନଙ୍କ ନକରାତ୍ମକ ପ୍ରଚାରର ଆମେ ଠିକ୍ ଭାବେ କାଉଣ୍ଟର କରିପାରିଲୁ ନାହିଁ। ଆଜି ଓଡ଼ିଶାବାସୀ ଜାଣିଲେଣି ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି। କର୍ମୀ ଭାଇଭଉଣୀମାନଙ୍କୁ ଅନୁରୋଧ ଆପଣ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହି ବିଜେପିର ମିଛ କଥାର ଉଚିତ୍ ଜବାବ ଦିଅନ୍ତୁ।
ଗତ ୬ ମାସ ଭିତରେ ବର୍ତ୍ତମାନର ସରକାରର ସବୁଠାରୁ ବଡ଼ ଉପହାର ହେଉଛି ଦରଦାମ୍ ବୃଦ୍ଧି। ଡାଲି, ଚାଉଳଠୁ ଆରମ୍ଭ କରି ତେଲ ଓ ପନିପରିବା ଆଜି ଆକାଶଛୁଆଁ ଦର ବୃଦ୍ଧି ପାଇଁ ଆଜି ପ୍ରତି ପରିବାର କାନ୍ଦୁଛି। ଧାନ କିଣା ବିକା ପ୍ରକ୍ରିୟା ନେଇ ଚାଷୀ କାନ୍ଦୁଛି। ମିଶନ ଶକ୍ତି ମାଆମାନେ ଦୁଃଖରେ ଅଛନ୍ତି। କିନ୍ତୁ ଏ ସରକାରର କୁମ୍ଭକର୍ଣ୍ଣ ନିଦ କେବେ ଭାଙ୍ଗିବ?
୧୯୯୭ରେ ବିଜେଡ଼ି ଗଠନ ବେଳେ ଯେମିତି କିଛି ଲୋକ କହିଥିଲେ ଏହି ଦଳର ଭବିଷ୍ୟତ ନାହିଁ। ଏବେ ବି କିଛି ନିନ୍ଦୁକ କହୁଛନ୍ତି ଯେ, ଏ ଦଳ ରହିବ ନାହିଁ। ମୁଁ ଦୃଢ଼ତାର ସହ କହୁଛି, ବିଜେଡିର ଭବିଷ୍ୟତ ଉଜ୍ୱଳ। ଓଡ଼ିଶାବାସୀଙ୍କ ଭାବନା ସହ ବିଜେଡ଼ି ଯୋଡ଼ି ହୋଇ ରହିଛି। ଶଙ୍ଖ ଚିହ୍ନ ଯୋଡ଼ି ହୋଇ ରହିଛି। ଓଡ଼ିଶାର ପରିଚୟକୁ ଉଜ୍ଜ୍ୱଳ କରିଛି ବିଜେଡ଼ି। ଓଡ଼ିଶାର ହକ ପାଇଁ ଲଢ଼ୁଥିବା ଦଳ ହେଉଛି ବିଜେଡ଼ି। ବିଜେଡ଼ି ଏକ ସଶକ୍ତ ଓଡ଼ିଶାର ମୂଳଦୁଆ ପକାଇଛି। ଲୋକଙ୍କ ହୃଦୟରେ ସବୁ ଦିନ ପାଇଁ ରହିଛି ବିଜୁ ଜନତା ଦଳ। ବିଜେଡ଼ି ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ରର ଅବିଚାର ବିରୋଧରେ ବିଜେଡ଼ିର ଲଢେ଼ଇ ଜାରି ରହିବ। ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବା କରି ଚାଲିବ ଏବଂ ଏକ ଆଞ୍ଚଳିକ ଦଳ ଭାବେ ତା’ର ଗୌରବ ବଜାୟ ରଖିବ।