ବିରୋଧୀ ଦଳ ନେତାଙ୍କ ଟିପ୍ପଣୀ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା

ଗଞ୍ଜାମର ଲୋକମାନେ ଭରସା କରି ଡବଲ ଇଞ୍ଜିନ ସରକାରକୁ ଆଣିଛନ୍ତି, ଯଦି ଏହା କାହାକୁ ମିଛ ଲାଗୁଛି, ତେବେ କଣ କୁହାଯିବ ?, ସ୍ୱର୍ଗକୁ ନେଶୁଣୀ ନାହିଁ, ବଡ ଲୋକଙ୍କୁ ଉତ୍ତର ନାହିଁ।

୨୪ ବର୍ଷରେ ଜନ୍ମମାଟିରେ ପିଇବା ପାଣିର ବ୍ୟବସ୍ଥା କରିନଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଭ୍ରମ ତିଆରି କରୁଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ଡ଼ିହପଢାଳ/ଭଞ୍ଜନଗର, ୨୬/୧୨: ଯେଉଁ ପୂର୍ବତନ ମୁଖ୍ୟମନ୍ତ୍ରୀ ୨୪ ବର୍ଷ ଧରି ଶାସନରେ ରହିବା ପରେ ମଧ୍ୟ ନିଜ ଜନ୍ମମାଟିରେ ପିଇବା ପାଣିର ବ୍ୟବସ୍ଥା କରିପାରିନାହାନ୍ତି, ସେ ବିଜେପି ଓ ନରେନ୍ଦ୍ର ମୋଦୀଙ୍କ କଥାକୁ ମିଛ କହି ଏକ ଭ୍ରମ ତିଆରି କରିବା ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦିନିକିଆ ଗଞ୍ଜାମ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଏ ପ୍ରସଙ୍ଗରେ କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ପୂର୍ବ ସରକାରଙ୍କ ୭-୮ଟି ମେଗା ପାଇପ ଓ୍ୱାଟର ଯୋଜନା ଆରମ୍ଭ ହୋଇଛି । ଗୋଟିଏ ଛାଡି ଦେଲେ ଅନ୍ୟ ୬ଟି ପ୍ରକଳ୍ପର କାମ ଅଧାପନ୍ତରା ଅଛି । ବୌଦ୍ଧ, ଫୁଲବାଣୀ ଜିଲ୍ଲାରୁ ଗଞ୍ଜାମ ଗ୍ରାମାଞ୍ଚଳକୁ ପାଣି  ଆସିନାହିଁ କାହିଁକି ? ପାଣି ପାଇପ ସବୁ ଖୋଲାରେ ପଡିଛି । ପାଣି ଆସିବାର ଠିକଣା ନାହିଁ । ନଳ ଅଛି କିନ୍ତୁ ଜଳ ନାହିଁ । ଏହାକୁ କଣ କହିବା ?  ବିଜେପି ସରକାରର ସୁଭଦ୍ରା ଯୋଜନା ଏବଂ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ବୃଦ୍ଧି ଉପରେ ସେ ଅବଗତ ନାହାନ୍ତି କି ?

ଗଞ୍ଜାମ ଜିଲ୍ଲାରେ ବିଜେପି ସରକାରର ସୁଭଦ୍ରା ଯୋଜନାରେ ପ୍ରାୟ ୫୦୦ରୁ ଅଧିକ କୋଟି ଟଙ୍କା ମା’ ଭଉଣୀ ମାନଙ୍କ ଖାତାରେ ପହଞ୍ଚିସାରିଛି । ଆଗକୁ ଏହି ସଂଖ୍ୟା ପ୍ରାୟ ୧୦୦୦ କୋଟି ଟଙ୍କାରେ ପହଞ୍ଚିବ । ଗଞ୍ଜାମରେ ପ୍ରାୟ ୧୦ ଲକ୍ଷ ଲାଭାର୍ଥୀ ସୁଭଦ୍ରା ଯୋଜନାରେ ଅଛନ୍ତି । ସେହିପରି ଏ ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୪ ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯିବାର ଲକ୍ଷ୍ୟ ରଖାଯାଇଛି । ଓଡ଼ିଶାର ଚାଷୀମାନଙ୍କର ହିତ ପାଇଁ କ୍ୱିଣ୍ଟାଲ ପିଛା କେନ୍ଦ୍ର ସରକାରଙ୍କ ଧାନର ଏମଏସପି ୨୩୦୦ ଟଙ୍କା ଉପରେ ଅଧିକ ୮୦୦ ଟଙ୍କାର ଇନ୍‌ପୁଟ୍ ସହାୟତା ରାଶି ତଥା ସମୁଦାୟ ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି । ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାକୁ ଆହୁରି ୪୦୦ରୁ ୫୦୦ କୋଟି ଟଙ୍କା ମିଳିବ ।  ଗଞ୍ଜାମର ଲୋକମାନେ ଭରସା କରି ଡବଲ ଇଞ୍ଜିନ ସରକାରକୁ ଆଣିଛନ୍ତି । ଯଦି ଏହା କାହାକୁ ମିଛ ଲାଗୁଛି, ତେବେ ତାକୁ କଣ କୁହାଯିବ ? ସ୍ୱର୍ଗକୁ ନେଶୁଣୀ ନାହିଁ, ବଡ ଲୋକଙ୍କୁ ଉତ୍ତର ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।