ଏପଟେ ପ୍ରତିଷ୍ଠା ଦିବସ, ସେପଟେ ଦଳ ଅଦଳବଦଳ

ଗଞ୍ଜାମର ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।

ପ୍ରତିଷ୍ଠା ଦିବସରେ ବିଜେଡ଼ିକୁ ବଡ ଝଟକା

ଗଞ୍ଜାମ, ୨୬/୧୨: ଆଜି ରାଜ୍ୟ ସାରା ବିଜୁ ଜନତା ଦଳ ପାଳୁଛି ୨୮ତମ ପ୍ରତିଷ୍ଠା ଦିବସ। ପ୍ରତିଷ୍ଠା ଦିବସରେ ଖୋଦ ସଭାପତି ନବୀନ ପଟ୍ଟନାୟକ କହିଥିଲେ, ଦଳ ଆହୁରି ସଶକ୍ତ ହେବ। ୧୦୦ ବର୍ଷ ଯାଏଁ ଦଳ ରାଜ୍ୟରେ ତିଷ୍ଠିବ। ହେଲେ, ଏହି ଭାଷଣକୁ କିଛି ସମୟ ପୂରିନି, ସେପଟେ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରେ ଦେଖିବାକୁ ମିଳିଛି ଦଳ ଅଦଳବଦଳ ପରିସ୍ଥିତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ବିଜେଡ଼ିକୁ ଲାଗିଛି ବଡ ଝଟକା।

ଗଞ୍ଜାମର ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ ଦଳ ଛାଡ଼ିଛନ୍ତି। ନରିସଭା ନାୟକ ବିଜେଡ଼ିର ପ୍ରତିଷ୍ଠା ଦିବସରେ ହିଁ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି। ସ୍ଥାନୀୟ ବନ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକଙ୍କ ସମେତ ବଡକୋଦଣ୍ଡା ସମିତିସଭ୍ୟ ଜେ.ମନୋଜ କୁମାର ପୃଷ୍ଟି, ବାରୁଡା ସମିତିସଭ୍ୟା ବନିତା ସେଠି, କୁଲାଡ ସମିତିସଭ୍ୟା ପି.ରେଣୁକା ପାତ୍ର, ନେତା ରାମହରି ପାତ୍ରଙ୍କ ସମେତ ଅନେକ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି।