ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ

ଗୁରୁବାର ରାତି ୯ଟା ୫୧ରେ ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କ ପରଲୋକ ଘଟିଛି।

୯୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ପରଲୋକ

ନୂଆଦିଲ୍ଲୀ, ୨୬/୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଗୁରୁବାର ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗୁରୁବାର ସନ୍ଧ୍ୟାରେ ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହଙ୍କ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ରାତି ୯ଟା ୫୧ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଭାରତକୁ ବିଶ୍ୱ ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବାରେ ମନମୋହନ ସିଂହଙ୍କ ପ୍ରମୁଖ ଭୂମିକା ରହିଥିଲା। ସେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦୁଇ ଥର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଦେଶର ପ୍ରଥମ ଶିଖ୍ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

୧୯୩୬ ସେପ୍ଟେମ୍ବର ୨୬ରେ ପଶ୍ଚିମ ପଞ୍ଜାବର ଗାହରେ(ପାକିସ୍ତାନ) ଜନ୍ମଗ୍ରହଣ କରିଥିବା ମନମୋହନ ସିଂହଙ୍କ ପରିବାର ୧୯୪୭ ମସିହାରେ ବିଭାଜନ ସମୟରେ ଭାରତ ଚାଲି ଆସିଥିଲେ।  ଅକ୍ସଫୋର୍ଡରୁ ଅର୍ଥନୀତିରେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିବା ଶ୍ରୀ ମନମୋହନ ସିଂହ ଜଣେ ଶିକ୍ଷାବିତ୍, ପ୍ରଶାସନିକ ଅଧିକାରୀ ଏବଂ ନୀତି ନିର୍ଧାରକ ଭାବରେ ପରିଚୟ ସୃଷ୍ଟି କରି ପାରିଥିଲେ। ୧୯୯୧ରେ ଦେଶ ଦେବାଳିଆ ପରିସ୍ଥିତିରେ ଥିବା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ତାଙ୍କୁ ଅର୍ଥମନ୍ତ୍ରୀ ଭାବରେ କ୍ୟାବିନେଟରେ ସାମିଲ କରିଥିଲେ। ଆର୍ଥିକ ଉଦାରୀକରଣର ସୂତ୍ରଧାର ଥିଲେ ମନମୋହନ ସିଂହ। ଦେଶର ଅର୍ଥନୀତିରେ ଅନେକ ସୁଧାର ଆଣିଥିଲେ।

୧୯୭୨ରୁ ୧୯୭୬ ପର୍ଯ୍ୟନ୍ତ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା। ୧୯୭୬ରେ ତାଙ୍କୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସଚିବ ଭାବେ ନିଯୁକ୍ତି ମିଳିଥିଲା। ରାଜନୀତିକୁ ଆସିବା ପୂର୍ବରୁ ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ସେ ଭାରତୀୟ ରିଜର୍ଭ ବ୍ୟାଙ୍କର‌ ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୮୫ରୁ ୧୯୮୭ ପର୍ଯ୍ୟନ୍ତ ଯୋଜନା ଆୟୋଗର ମୁଖ୍ୟ ଭଳି ଭାରତ ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ନରେନ୍ଦ୍ର ମୋଦିଙ୍କ ପରେ ସେ ଲମ୍ବା ସମୟ ଧରି ପଦରେ ରହିଥିବା ଚତୁର୍ଥ ପ୍ରଧାନମନ୍ତ୍ରୀ।

ସ୍ୱାସ୍ଥ୍ୟଗତ କାରଣରୁ ଗତ କିଛି ବର୍ଷ ହେବ ସେ ରାଜନୀତିରୁ ଦୂରେଇ ରହି ଆସୁଥିଲେ ଏବଂ ୨୦୨୪ ଆରମ୍ଭରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ୨୦୨୪ ଏପ୍ରିଲରେ ସେ ରାଜ୍ୟସଭାରୁ ଅବସର ନେଇଥିଲେ।