୩ ହାର୍ଡକୋର ମହିଳା ମାଓବାଦୀ ଗିରଫ
ମାଓବାଦୀଙ୍କ ଗିରଫଦାରୀ ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ସୂଚନା ଦେଇଛନ୍ତି।
ମୁଣ୍ଡ ଉପରେ ଥିଲା ୮ ଲକ୍ଷର ପୁରସ୍କାର ରାଶି
ମାଲକାନଗିରି, ୨୮/୧୨: ଓଡ଼ିଶା ପୋଲିସକୁ ମିଳିଛି ବଡ଼ ସଫଳତା। ପୋଲିସ ଓ ଡିଭିଏଫ ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ଧରାପଡିଲେ ୩ ହାର୍ଡକୋର ମହିଳା ମାଓବାଦୀ। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠୱାଡ଼ା ଗ୍ରାମ ନିକଟରୁ ୩ ମହିଳା ମାଓବାଦୀଙ୍କୁ ଗିରଫ କରିଛି ସୁରକ୍ଷାବାସିନୀ। ୩ ମହିଳା ମାଓବାଦୀ ହେଲେ ସ୍ୱପ୍ନା ଖିଲୋ, କମଳା ଖିଲୋ ଓ ସୁନିତା ଖିଲୋ। ସେମାନଙ୍କ ଉପରେ ମିଳିତ ଭାବେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା।
୨୦୧୮ ମସିହାରୁ ମାଲକାନଗିରି ଜିଲ୍ଲା ଗୁମ୍ମା ଅଞ୍ଚଳରେ ଥିବା ଏବିଏସ୍ ଜେଡ୍ ସି ମିଲିଟାରି ପ୍ଲାଟୁନରେ କାର୍ଯ୍ୟ କରୁଥିବା ସ୍ୱପ୍ନା ଖିଲୋଙ୍କ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ସେହିପରି ୨୦୨୧ ମସିହାରେ ମାଓବାଦୀ ସଂଗଠନରେ ଯୋଗ ଦେଇ ଏଓବିଏସଜେଡସିରେ ଉଦୟ ପ୍ରୋଟେକ୍ସନ ଟିମରେ ଦଳର ସଦସ୍ୟ ଭାବରେ କାର୍ଯ୍ୟ କରୁଥିବା କମଳା ଖିଲୋ ଏବଂ ସୁନିତା ଖିଲୋ ଉପରେ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଥିଲା।
ବହୁ ଥର ସୁରକ୍ଷାକର୍ମୀଙ୍କ ସହ ସେମାନଙ୍କ ଗୁଳି ବିନିମୟ ହୋଇଛି। ସେମାନେ ଅନ୍ୟାନ୍ୟ ଅପରାଧିକ ମାମଲାରେ ଅଧିକ ସଂପୃକ୍ତି ଥିବା ଜଣାପଡିଛି। ମାଲକାନଗିରି ଜିଲ୍ଲାରେ କମ୍ବିଂ ଅପରେସନ ଓ ଗୁଇନ୍ଦା ଭିତ୍ତିକ ଅପରେସନକୁ ଜୋରଦାର କରାଯାଇଛି। ଏ ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ସୂଚନା ଦେଇଛନ୍ତି।