ବାଇକ ଚଢ଼ିବା ମୋହ
ମୋଟର ସାଇକେଲ କିଣିବା ପାଇଁ ନବଜାତ ଶିଶୁପୁତ୍ରକୁ ୬୦ ହଜାର ଟଙ୍କାରେ ବିକ୍ରି କଲେ ଯୁବକ।
୪ ଦିନର ନବଜାତ ଶିଶୁପୁତ୍ରକୁ ବିକିଲା ବାପା
ବାଲେଶ୍ୱର, ୨୯/୧୨: ବାଇକ ଚଢ଼ିବା ମୋହରେ ଶିଶୁପୁତ୍ରକୁ ବିକିଲା ବାପା। ବାଲେଶ୍ୱର ଜିଲ୍ଲାରେ ଜଣେ ବ୍ୟକ୍ତି ନିଜର ୪ ଦିନର ନବଜାତ ଶିଶୁପୁତ୍ରକୁ ଏକ ନୂଆ ବାଇକ କିଣିବା ପାଇଁ ଏକ ନିଃସନ୍ତାନ ଦମ୍ପତିଙ୍କୁ ବିକ୍ରି କରିଥିବା ଜଣାପଡିଛି। ଉକ୍ତ ଯୁବକ ଜଣକ ବାଇକ୍ ଚଳାଉଥିବା ବେଳେ ସ୍ଥାନୀୟ ଲୋକ ଦେଖିବା ପରେ ଏହି ଘଟଣା ସାମନାକୁ ଆସିଛି।
ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ବସ୍ତା ଥାନା ଅନ୍ତର୍ଗତ ହଦମୌଦ ଗ୍ରାମର ଧର୍ମୁ ବେହେରାଙ୍କ ପତ୍ନୀ ଶାନ୍ତି ପାତ୍ର ଗତ ଡିସେମ୍ବର ୧୯ ତାରିଖରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଗତ ଡିସେମ୍ବର ୨୨ ତାରିଖରେ ମା’-ପୁଅ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଉଦଳା ଥାନା ଅନ୍ତର୍ଗତ ସାଇଙ୍କୁଲା ଗ୍ରାମର ଜଣେ ନିଃସନ୍ତାନ ଦମ୍ପତିଙ୍କୁ ଧର୍ମୁ ୬୦ ହଜାର ଟଙ୍କାରେ ନବଜାତ ପୁତ୍ରକୁ ବିକ୍ରି କରି ଦେଇଥିଲେ। ଏଥିରେ ଉକ୍ତ ଗାଁର ଦୁଇ ଜଣ ଯୁବକ ମଧ୍ୟସ୍ଥି ସାଜି ସହଯୋଗ କରିଥିଲେ। କିନ୍ତୁ ଧର୍ମୁ ବାଇକ ଚଳାଇ ବୁଲିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା ଓ ଏହି ଘଟଣା ସାମନାକୁ ଆସିଥିଲା। ଘଟଣାର ତଦନ୍ତ ପାଇଁ ଗ୍ରାମବାସୀ ଅଭିଯୋଗ କରିବାର ଗୋଟିଏ ଦିନ ପରେ ମୟୂରଭଞ୍ଜ ଶିଶୁ କଲ୍ୟାଣ କମିଟି (ସିଡବ୍ଲ୍ୟୁସି) ଓ ବସ୍ତା ପୁଲିସ ଶନିବାର ଉଦଳାରୁ ନବଜାତ ଶିଶୁଟିକୁ ଉଦ୍ଧାର କରିଛି। ଶିଶୁଟି ଏବେ ବାରିପଦା ସ୍ଥିତ ସ୍ପେଶାଲ ଆଡପ୍ସନ୍ ଏଜେନ୍ସି ହେପାଜତରେ ରହିଛି।