ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଆଜି ଭୋର ସମୟରେ କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।‌

୩ ମୃତ, ୬ ଗୁରୁତର, ୫୫ ଆହତ

ବୈପାରୀଗୁଡା, ୨୯/୧୨: ଆଜି ଭୋର ସମୟରେ କୋରାପୁଟ ଜିଲ୍ଲା ବୈପାରୀଗୁଡାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।‌ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ନିକଟ ଶୁକନାଳ ନିକଟରେ ଓଁ ମାଆ ନାମକ ଏକ ଘରୋଇ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି।

ଘଟଣାରୁ ପ୍ରକାଶ ଯେ, କଟକ ସଦର ଅଞ୍ଚକରୁ ଗତ ଶୁକ୍ରବାର ରାତିରେ ପ୍ରାୟ ୬୫ ଜଣ ଏକ ଘରୋଇ ବସ୍ ଯୋଗେ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଦର୍ଶନ ନିମନ୍ତେ ଆସିଥିଲେ। ଗତ କାଲି କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳୀ ମାଣିକେଶ୍ବରୀ ଦର୍ଶନ ପରେ ବୈପାରୀଗୁଡାରେ ରାତ୍ରିଯାପନ କରିଥିଲେ। ଆଜି ଭୋରରୁ ସମସ୍ତେ ଗୁପ୍ତେଶ୍ୱର ଦର୍ଶନ ନିମନ୍ତେ ବାହାରିଥିଲେ। ଗୁପ୍ତେଶ୍ୱର ପୀଠ ପହଞ୍ଚିବାକୁ ଆଉ ଅଳ୍ପ ଦୂର ଥିବାବେଳେ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଫଳରେ ଗାଡିଟି ସୂକନାଳ ବ୍ରିଜ ଉପରୁ ତଳକୁ ଓଲଟି ଯାଇଥିଲା। ଘଟଣା ସ୍ଥଳରେ ତିନି ଜଣ ମୃତ୍ୟୁବରଣ କରିଥିବା ବେଳେ ସାମାନ୍ୟ ଆହତମାନଙ୍କୁ ବୈପାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଏବଂ ଗୁରୁତର ଆହତମାନଙ୍କୁ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

ଖବର ମିଳିବା ମାତ୍ରେ ରାମଗିରିସ୍ଥିତ ସୀମା ସୁରକ୍ଷା ବାହିନୀର ଯବାନ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ପୋଲିସ ପ୍ରଶାସନ, ବୈପାରୀଗୁଡା ଅଗ୍ନିଶମ ବିଭାଗ, ଓଡ୍ରାଫ ଦଳ ପହଂଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଘଟଣାସ୍ଥଳରେ କୋରାପୁଟ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଜୟପୁର ଏସ ଡି ପି ଓ, ବୈପାରୀଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ, ବୈପାରୀଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦା ପ୍ରମୁଖ ଉପସ୍ଥିତ ରହିଥିଲେ।‌ ମୃତକମାନେ ହେଲେ ରଞ୍ଜନ ମହାନ୍ତି(୫୯), ସୋମନାଥ ପୃଷ୍ଟି (୬) ଏବଂ ଦିବ୍ୟରଞ୍ଜନ ବେହେରା (୩୫)। ନୂଆବର୍ଷ ପୂର୍ବରୁ ଏହି ମର୍ମନ୍ତୁଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳାଇ ଦେଇଛି।