ଆସନ୍ତାକାଲିଠୁ ନବୀନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ
କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବେ ଓ ଚାଷୀଙ୍କୁ ଭେଟିବେ
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତକୁ ପୂର୍ବତନ ବିଧାୟକ ରମେଶ ପଟ୍ଟନାୟକଙ୍କ ଟାର୍ଗେଟ
ଭୁବନେଶ୍ୱର, ୨୯/୧୨: ଆସନ୍ତା କାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଅଦିନିଆ ବର୍ଷାରେ ପ୍ରଭାବିତ ହୋଇ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ଭେଟିବେ ନବୀନ ପଟ୍ଟନାୟକ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି, ଶେରଗଡ଼, କବିସୂର୍ଯ୍ୟନଗର, ଆସ୍କା ଓ ଖଲ୍ଲିକୋଟ ଆଦି ସ୍ଥାନରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି ପ୍ରଭାବିତ ଚାଷ ଅଞ୍ଚଳ ବୁଲି ଦେଖିବେ। ଫସଲ କ୍ଷୟକ୍ଷତି ସମ୍ପର୍କରେ ସମ୍ପୃକ୍ତ ଅଧିକାରୀଙ୍କ ସହ ଆଲୋଚନା କରିବେ।
ସେହିପରି ଆସନ୍ତା ୩୧ ତାରିଖରେ ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିବେ। ପୁରୀର ସତ୍ୟବାଦୀ, କଟକର ସାଲେପୁର, ଜଗତସିଂହପୁରର ବାଲିକୁଦା ଓ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଆଦି ସ୍ଥଗନରେ ଚାଷୀମାନଙ୍କୁ ଭେଟିବେ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିବେ।
ଅନ୍ୟପଟେ ଆଜି ନୟାଗଡ ଜିଲ୍ଲାର ରଣପୁର ବ୍ଲକ ଅନ୍ତର୍ଗତ କାଣ୍ଡପଡ଼ା ଓ ମଝିଆଖଣ୍ଡ ଗ୍ରାମ ପଞ୍ଚାୟତ ଚାଷ ଜମିକୁ ଯାଇ ଫସଲ କ୍ଷୟକ୍ଷତି ଆକଳନ କରିବା ସହ ଗଞ୍ଜାମ ଜିଲ୍ଲାରେ ମଧ୍ୟ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।
ତେବେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଟାର୍ଗେଟ କରି ବ୍ରହ୍ମପୁର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି ଯେ, ଆସନ୍ତାକାଲି ନବୀନ ପଟ୍ଟନାୟକ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ଖବର ଶୁଣି ହଠାତ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ବହୁ ପରିମାଣର ବର୍ଷା ହେବା ସହ ଧାନ ନଷ୍ଟ ହୋଇଥିଲେ ମଧ୍ୟ ପୂର୍ବରୁ ଥରେ ହେଲେ ବୁଲି ଦେଖିବା ପାଇଁ ଆସିନଥିଲେ। ହେଲେ, ଏଭଳି ହଠାତ୍ କାର୍ଯ୍ୟକ୍ରମ ଦେଖି ଆମେ ଆଶ୍ଚର୍ଯ୍ୟ।