ଲୋକସେବା ଭବନକୁ ପ୍ରବେଶ କରିପାରିବେ ସାମ୍ବାଦିକ

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ‌ ବିଜ୍ଞପ୍ତି ପ୍ରକାଶ ପାଇଛି‌।

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରୁ ହଟିଲା କଟକଣା

ଭୁବନେଶ୍ୱର, ୩୧/୧୨: ସାମ୍ବାଦିକଙ୍କ ଉପରୁ ହଟିଲା‌ କଟକଣା। ଲୋକସେବା ଭବନ ଭିତରକୁ ନେଇ ଲାଗିଥିବା କଟକଣା ପ୍ରତ୍ୟାହାର ହୋଇଛି। ଏ ନେଇ‌ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ‌ ବିଜ୍ଞପ୍ତି ପ୍ରକାଶ ପାଇଛି‌। ସାମ୍ବାଦିକ ତଥା‌ ଗଣମାଧ୍ୟମ ପ୍ରତିନିଧିମାନେ ରାଜ୍ୟ ସଚିବାଳୟକୁ ପ୍ରବେଶ କରିପାରିବେ। ସ୍ୱୀକୃତି ପ୍ରାପ୍ତ ଓ ଅଣସ୍ଵିକୃତି ପ୍ରାପ୍ତ ସାମ୍ବାଦିକଙ୍କୁ ମିଳିଛି ଅନୁମତି। ଟିଭି ଓ ଖବରକାଗଜ ଗଣମାଧ୍ୟମର ଜଣେ ଲେଖାଏଁ ସାମ୍ବାଦିକ ଲୋକସେବା ଭବନ ଓ ସଚିବାଳୟ ଭିତରକୁ ପ୍ରବେଶ କରି ପାରିବେ।

ସୂଚନାଯୋଗ୍ୟ, କୋଭିଡ୍-୧୯ ମହାମାରୀ ପରେ ଲୋକସେବା ଭବନକୁ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। କିନ୍ତୁ କୋଭିଡ୍ ମହାମାରୀ ସଂକ୍ରମଣ କମି ଯାଇଥିଲେ ମଧ୍ୟ ପୂର୍ବ ସରକାର ଏହି କଟକଣାକୁ ହଟାଇ ନଥିଲେ। ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କିଛି ବରିଷ୍ଠ ସାମ୍ବାଦିକ ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ଆଲୋଚନା ସଫଳ ହେବା ପରେ ଗତ ୨୬ ତାରିଖ ଦିନ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ନୂଆ ନିୟମ ଅନୁଯାୟୀ ଲୋକସେବା ଭବନକୁ ପ୍ରବେଶ କରିବାକୁ ଚାହୁଁଥିବା ସାମ୍ବାଦିକଙ୍କୁ ନିଜର ଆଧାର କାର୍ଡ ଓ ଗଣମାଧ୍ୟମ ସଂସ୍ଥା ଦ୍ୱାରା ଜାରି ହୋଇଥିବା ପରିଚୟପତ୍ର ଦେବାକୁ ପଡ଼ିବ। ପ୍ରତ୍ୟେକ ଗଣମାଧ୍ୟମ ସଂସ୍ଥାର ଜଣେ ରିପୋର୍ଟର ଓ ଜଣେ ଫଟୋଗ୍ରାଫରଙ୍କୁ ଅନୁମତି ମିଳିବ।