ମୋହନଙ୍କୁ ଚିଠି ଲେଖିଲେ ନବୀନ

ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଥିଲେ, ଆଜି ଅତିରିକ୍ତ ସହାୟତା ପାଇଥାନ୍ତେ ଚାଷୀ।

ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଅନ୍ତୁ ସରକାର

ଭୁବନେଶ୍ୱର, ୦୨/୦୧: ଗତ ମାସରେ ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର କେତେକ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ପ୍ରଭାବିତ ଚାଷୀମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ଯଥାଶୀଘ୍ର ସମସ୍ୟାର ସମାଧାନ ନେଇ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ଚିଠିରେ ନବୀନ ଲେଖିଛନ୍ତି, ଗତ ଡିସେମ୍ବର ୩୦ ଓ ୩୧ରେ ଗଞ୍ଜାମ, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷ ବୁଲି ଦେଖିବା ସହ ପ୍ରଭାବିତ ଚାଷୀଙ୍କୁ ଭେଟିଥିଲି। ପ୍ରବଳ କ୍ଷୟକ୍ଷତି ଯୋଗୁଁ ଚାଷୀ ଓ ସେମାନଙ୍କ ପରିବାର ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅମଳ ସମୟରେ ବର୍ଷା ଯୋଗୁଁ ଉଭୟ ଧାନ ଓ ଅନ୍ୟାନ୍ୟ ପନିପରିବା ଫସଲ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି।

ନିକଟ ଅତୀତରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥିଲା। ପ୍ରବଳ ବର୍ଷା ହେବା ନେଇ ଠିକ୍ ସମୟରେ ଚାଷୀମାନଙ୍କୁ ଅବଗତ କରାଯାଇନଥିଲା। ଏହାବ୍ୟତୀତ ଅନେକ ସ୍ଥାନରେ ଫସଲ କ୍ଷୟକ୍ଷତିର ଆକଳନ ମଧ୍ୟ ଏପର୍ଯ୍ୟନ୍ତ ହୋଇନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀ ଆତ୍ମହତ୍ୟା ଖବର ଅତ୍ୟନ୍ତ ବିଚଳିତ। ଜଗତସିଂହପୁରର ବାଲିକୁଦା ବ୍ଲକର ଯୁବ ଚାଷୀ କୃତିବାସ ସ୍ୱାଇଁଙ୍କ ପରିବାରକୁ ଭେଟିଥିଲି। ତାଙ୍କ ଫସଲ ନଷ୍ଟ ହୋଇ ଯାଇଥିବାରୁ ଗତ ୩୦ ତାରିଖରେ ସେ ଆତ୍ମହତ୍ୟା କରିଥିଲେ। ଏହା ଅତ୍ୟନ୍ତ ଦୁଃଖଦାୟକ। ଚାଷୀମାନଙ୍କ ଆତ୍ମବିଶ୍ୱାସ ଭାଙ୍ଗି ଯାଇଛି। ତେଣୁ ସେମାନଙ୍କର ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ତୁରନ୍ତ ଉଚିତ କ୍ଷତିପୂରଣ ଦିଅନ୍ତୁ।

ଭୌଗୋଳିକ ସ୍ଥିତି ଯୋଗୁଁ ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଓଡ଼ିଶାବାସୀ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛନ୍ତି। ଯାହା ରାଜ୍ୟର ସମ୍ବଳ ଉପରେ ଅତିରିକ୍ତ ଚାପ ପକାଉଛି। ଏହି କାରଣରୁ ବିଜେଡି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରି ଆସୁଛି। ଯଦି ଆଜି ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଥାନ୍ତା, ତା’ହେଲେ ଚାଷୀମାନଙ୍କୁ ଅତିରିକ୍ତ ସହାୟତା ମିଳିଥାନ୍ତା ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।